ସିସିଟିଭି ଧରିଲା ଦାଦାଗିରିର ଦୃଶ୍ୟ : କନଷ୍ଟ୍ରକସନ୍ କମ୍ପାନୀକୁ ଜୋର ଜବରଦସ୍ତ ମଗାଯାଇଛି ବଟି

31

କନକ ବ୍ୟୁରୋ : ୨୩ ଅଗଷ୍ଟ ୨୦୧୭ମସିହା । ସ୍ଥାନ- ଲକ୍ଷ୍ମୀଟକିଜ ଛକ, ସମ୍ବଲପୁର । ସାମ୍ନାକୁ ଆସିଲା ଦିନ ଦ୍ୱିପ୍ରହରରେ ଦାଦାବଟି ମାଗିବାର ଚିତ୍ର । ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ସୁଜାତା ହୋଟେଲ ନିକଟରେ ଥିବା ଏହି ଘରୋଇ କନଷ୍ଟ୍ରକସନ କମ୍ପାନୀର କାର୍ଯ୍ୟାଳୟ ଭିତରକୁ ଅଚାନକ ପଶିଆସି ଦାବା ବଟି ଦାବି କରିଥିଲେ ଦୁଇଜଣ ଯୁବକ ।

ପଟ୍ଟନାୟକ କନଷ୍ଟ୍ରକସନ୍ କମ୍ପାନି ସହରର ବିଭିନ୍ନ ସ୍ଥାନରେ ତା’ର କାରବାର କରୁଥିବାରୁ ଜୋରଜବରଦସ୍ତ ବଟି ଦେବାକୁ ଦାବି କରିଥିଲେ ଏହି ଯୁବକମାନେ । ଅଭିଯୋଗ ଅନୁସାରେ ୫ରୁ ୬ଜଣିଆ ଅପରାଧୀ ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରୁ ୨ଜଣ କମ୍ପାନୀ କାର୍ଯ୍ୟାଳୟକୁ ପଶିଆସିଥିବାବେଳେ ବାହାରେ ଜଗିରହିଥିଲେ ଅନ୍ୟମାନେ । ଆଉ କର୍ମଚାରୀଙ୍କୁ ଦାଦାବଟି ପହଂଚାଇ ଦେବା ପାଇଁ କହିଥିଲେ ।

ଏହି ପୁରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଆଉ ଭିଡିଓ ଫୁଟେଜରେ ଦେଖାଯାଉଥିବା ଦୁଇ ଯୁବକଙ୍କୁ ଚିହ୍ନଟ କରି ଘଟଣାରେ କେଉଁ ଅପରାଧୀ ଗ୍ୟାଙ୍ଗର ହାତ ଅଛି ସେନେଇ ଛାନଭିନ ଆରମ୍ଭ କରିଛି ଟାଉନ ଥାନା ପୋଲିସ ।

ଦିନ ଦ୍ୱିପ୍ରହରରେ ଦାଦା ବଟି ପାଇଁ ଅପରାଧୀଙ୍କ ଏଭଳି ଧମକ ଚମକ ଘଟଣା ସହରର ବ୍ୟବସାୟୀଙ୍କୁ ଭୟଭୀତ କରିଛି । ଆଉ ଘଟଣା ପଛରେ ସଂପୃକ୍ତ ଅପରାଧୀ ଗ୍ୟାଙ୍ଗକୁ ପୋଲିସ ତୁରନ୍ତ କାବୁ କରି ଏହି ଭୟ ଦୂର କରିବା ଜରୁରୀ ହୋଇପଡିଛି ।