ସମ୍ବଲପୁରରେ ହନୁମାନ ଜୟନ୍ତୀ : ଜୟନାରାୟଣ ମିଶ୍ର ଜେଲରେ ଥିବାରୁ ଖଣ୍ଡା ବୁଲିବ କି ନାହିଁ ତା ଉପରେ ନଜର

62

କନକ ବ୍ୟୁରୋ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଆସିଲେ ଚର୍ଚ୍ଚାକୁ ଆସନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର । କାରଣ ପ୍ରଶାସନର କଟକଣା ସତ୍ୱେ ଆଖଡା ଶୋଭାଯାତ୍ରାରେ ଖଣ୍ଡା ବୁଲାଇଥାନ୍ତି ବିଜେପିର ଏହି ଦବଙ୍ଗ ନେତା । ହେଲେ ପରମ୍ପରା ଆଳରେ ପ୍ରଶାସନର ବାରଣକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଏହି ନେତା ଏବେ ଜେଲରେ । ବିଜେପୁର ଭୋଟ ବେଳେ ମନ୍ତ୍ରୀ ସୁଶାନ୍ତ ସିଙ୍କ ଭାଇଙ୍କ ଉପରକୁ ଆକ୍ରମଣ ଘଟଣାରେ ତାଙ୍କୁ ଗିରଫ କରିଛି ସୋହେଲା ପୋଲିସ ।

ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂଙ୍କୁ ମରଣାନ୍ତର ଆକ୍ରମଣ ଅଭିଯୋଗରେ ଅନ୍ୟ ୭ଜଣଙ୍କ ସହ ଗିରଫ ହୋଇ ଜେଲରେ ଅଛନ୍ତି ପଶ୍ଚିମ ଓଡିଶାର ଏହି ପ୍ରଭାବଶାଳୀ ବିଜେପି ନେତା ଜୟନାରାୟଣ ମିଶ୍ର । ତେଣୁ ପ୍ରଶ୍ନ ଉଠୁଛି ଏଥର ସମ୍ବଲପୁର ହନୁମାନ ଜୟନ୍ତୀରେ ଆଖଡା ଶୋଭାଯାତ୍ରାବେଳେ ଖଣ୍ଡା ବୁଲିବ ନା ନାହିଁ । ପରମ୍ପରା ଅନୁସାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବିଭିନ୍ନ ଆଖଡା କମିଟି ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଥାଏ । ହେଲେ କୌଣସି ଅଘଟଣ ଏଡାଇବାକୁ ପ୍ରଶାସନ ଖଣ୍ଡା ଓ ନିଆଁ ବୁଲାଇବା ଉପରେ କଟକଣା ଲଗାଇଛି । ସମନ୍ୱୟ ସମିତି ମଧ୍ୟ ଶୋଭାଯାତ୍ରାରେ ଖଣ୍ଡା ନ ବୁଲାଇବାକୁ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛି ।

ସୂଚନାଯୋଗ୍ୟ ଆଜି ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତି । ସମ୍ବଲପୁର ସହରରେ ଜୟନ୍ତି ପାଳନ କରୁଛି ସମନ୍ୱୟ ସମିତି । ବିଭିନ୍ନ ପଡାରେ ସଭା ଓ ଶୋଭାଯାତ୍ରା ପାଇଁ ସମନ୍ୱୟ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଧୁମଧାମରେ ହନୁମାନ ଜୟନ୍ତି ପାଳନ ପାଇଁ ପ୍ରସ୍ତୁତି କରାଯାଇଥିବାବେଳେ ଶୋଭାଯାତ୍ରାରେ ୩୦ରୁ ଅଧିକ ସାମିଲ ହେବା ସୂଚନା ରହିଛି । ତେବେ ଚଳିତବର୍ଷ ପ୍ରଥମଥର ଲାଗି ଶୋଭାଯାତ୍ରାର ରାସ୍ତା ପରିବର୍ତନ କରାଯାଇଛି ।

ବାଲିବନ୍ଧାରୁ ଶୋଭାଯାତ୍ରା ବାହାରି ଜିଲ୍ଲା ସ୍କୁଲ ଛକରେ ପହଂଚିବ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଶୋଭା ଯାତ୍ରା ସମୟରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦ରୁ ଅଧିକ ଅଫିସର ମୁତୟନ ରହିବେ । ତେବେ ଶୋଭାଯାତ୍ରାରେ ଖଣ୍ଡା ଓ ନିଆଁ ବୁଲାଇବାକୁ ବାରଣ କରିଛି ପୋଲିସ । କଟକଣାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।