ବିପଦସଙ୍କୁଳ ଗ୍ରାମୀଣ ଆବାସ କଲୋନୀରେ ରହିବାକୁ ଅମଙ୍ଗ ହିତାଧିକାରୀ : ନିମ୍ନମାନର ନିର୍ମାଣ ଯୋଗୁଁ ଭୂତକୋଠି ପାଲଟିଛି ସରକାରୀ କୋଠା

100

କନକ ବ୍ୟୁରୋ : ଗରୀବ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ବାସଗୃହ ଯୋଗାଇ ଦେଉଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଇନ୍ଦ୍ରଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତି ସମ୍ନାକୁ ଆସିଛି । ସରକାରୀ କୋଠାରେ ରହିବାକୁ ଅମଙ୍ଗ ହିତାଧିକାରୀ । ନିମ୍ନମାନର କାମ ଯୋଗୁଁ ନିର୍ମାଣର ବର୍ଷେ ଭିତରରେ ଭାଙ୍ଗିରୁଜି ଯାଇଥିବା ସମ୍ବଲପୁର ଗ୍ରାମୀଣ ଆବାସ କଲୋନୀରେ ରହିବାକୁ ଚାହୁଁନାହାନ୍ତି ଗରୀବ ହିତାଧିକାରୀ । ଫଳରେ ଭୂତକୋଠି ପାଲଟିଛି କୋଟି କୋଟି ଟଙ୍କା ବ୍ୟୟରେ ଠିଆ ହୋଇଥିବା କୋଠା ।

ସମ୍ବଲପୁର ଧନକଉଡ଼ା ବ୍ଳକ ଅନ୍ତର୍ଗତ ବେହେରାଟିକ୍ରା ଗାଁରେ ନିର୍ମାଣ କରାଯାଇଛି ଗ୍ରାମିଣ ଆବାସ କଲୋନି । ପ୍ରତି ଘର ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ୫୪ଟି ପରିବାର ପାଇଁ କଲୋନି ନିର୍ମାଣ କରାଯାଇଛି । ହେଲେ ଏଠାରେ ରହୁଛନ୍ତି ମାତ୍ର ୭ଟି ପରିବାର । ବାକି ସବୁ ଘର ଅବସ୍ଥା ନକହିବା ଭଲ । ଅଧିକାଂଶ ଘରର କାଂଥ ଫାଟି ଆଁ କରିଥିବା ବେଳେ ବିପଦସଂକୁଳ ଘରକୁ ଆସିବାକୁ ମଙ୍ଗୁ ନାହାନ୍ତି ହିତାଧିକାରୀ । ବିଭାଗୀୟ ଅଧିକାରୀଙ୍କ ପୃଷ୍ଠପୋଷକତାରେ ଠିକାଦାର ନିମ୍ନମାନର କାମ କରିଥିବାରୁ ଏହି କଲୋନି ଏବେ ଭୂତକୋଠି ପାଲଟିଛି ।

୨୦୧୮, ଅଗଷ୍ଟ ୧୬ ତାରିଖରେ ଗ୍ରାମୀଣ କଲୋନୀକୁ ଉଦଘାଟନ କରିଥିଲେ ସମ୍ବଲପୁରର ପୂର୍ବତନ ସାଂସଦ ନଗେନ୍ଦ୍ର ପଧାନ । ବର୍ଷେ ନପୁରୁଣୁ ଘରର ଏଭଳି ଅବସ୍ଥା । ଆଗକୁ କଣ ହେବ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ସେପଟେ କଲୋନୀ ନିର୍ମାଣରେ ଅନିୟମିତତା ଅଭିଯୋଗ ତଦନ୍ତ ଭାର ଭିଜିଲାନ୍ସକୁ ଦିଆଯାଇଛି ବୋଲି କହିଛନ୍ତି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ । ସମ୍ବଲପୁର ସହର ଠାରୁ ମାତ୍ର କେଇ କିଲୋମିଟର ଦୂରରେ ଯଦି ଏଭଳି ଦୁର୍ନୀତି, ଗାଁ ଗହଳି କଥା ନକହିବା ଭଲ । ନିମ୍ନମାନର କୋଠା ନିର୍ମାଣ କରିଥିବା ଠିକାଦାର ଓ ଏଥିରେ ସଂପୃକ୍ତ ଅନ୍ୟ ଦୋଶୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।