ରୋଗୀଙ୍କ ଜୀବନ ସହ ଖେଳ ! ଅଧାରୁ ଅପରେସନ୍ ବନ୍ଦ କଲେ ଡାକ୍ତର

29

କନକ ବ୍ୟୁରୋ : ରୋଗୀଙ୍କ ଜୀବନ ସହ ଖେଳ ।  ଓଟି ଭିତରେ ଜଣେ ମହିଳାଙ୍କ ଅପରେସନ୍ ଅଧାରୁ ବନ୍ଦ କରିଦେଇଛନ୍ତି ଡାକ୍ତର । ସମ୍ବଲପୁରର ଏକ ଘୋରଇ ନର୍ସିଂହୋମ ଡାକ୍ତରଙ୍କ ବିରୋଧରେ ଏଭିଳି ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ପରିବାର ଲୋକ । ଅଭିଯୋଗ ଆଣିଛନ୍ତି ଉକ୍ତ ମହିଳାଙ୍କ ସ୍ୱାମୀ ।

ଅଭିଯୋଗ ଅନୁଯାୟୀ, ପଦ୍ମିନୀ କଁହର ନାମକ ଜଣେ ମହିଳା ପେଟ ଯନ୍ତ୍ରଣା ଯୋଗୁଁ ଡ଼ାକ୍ତରଙ୍କ ପାଖକୁ ଆସିଥିଲେ । ପଦ୍ମିନୀଙ୍କ ପେଟ ଅଧିକ କାଟିବାରୁ ସେ ଏକ ଘରୋଇ ନର୍ସିଂହୋମର ମହିଳା ଓ ପ୍ରସୂତି ବିଭାଗର ଡ଼ାକ୍ତର ରାଜା ରାମା ଦାଶଙ୍କୁ ଦେଖାଇଥିଲେ । ଡ଼ାକ୍ତର ତାଙ୍କର ପରୀକ୍ଷା କରିବା ପରେ ଅପରେସନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ନିର୍ଦ୍ଧାରିତ ସମୟରେ ଅପରେସନ ମଧ୍ୟ କରିଥିଲେ ।

ହେଲେ ଅପରେସନ୍ ସମୟରେ ଡ଼ାକ୍ତର ପ୍ରଥମେ ତାଙ୍କ ପେଟର ଉପର ପଟକୁ କାଟି ଦେଇଥିଲେ । ଏବଂ ପରେ ଏହି ଅପରେସନ୍ ହୋଇ ପାରିବ ନାହିଁ ବୋଲି କହିଥିଲେ । ପଦ୍ମିନୀଙ୍କ ସ୍ୱାମୀ ଡ଼ାକ୍ତରଙ୍କୁ କଣ ପାଇଁ ହୋଇ ପାରିବ ନାହି ବୋଲି ପଚାରିବାରୁ ଡ଼ାକ୍ତର ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ଯାହାକୁ ନେଇ ମେଡ଼ିକାଲରେ ଅସନ୍ତୋଷ ଦେଖାଦେଇଥିଲା ।

ସେପଟେ ଅଧାରୁ ଅପରେସନ୍ ବନ୍ଦ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ସମ୍ପୃକ୍ତ ଡାକ୍ତର । ଡାକ୍ତର ଜଣଙ୍କ ସଫେଇ ଦେଇ କହିଛନ୍ତି, ୟୁଟ୍ରସ ମଧ୍ୟରେ ଥିବା ଓଭାରିରେ ଅସୁବିଧା ଯୋଗୁଁ ଏହି ଅପରେସନ ହୋଇ ପାରିନଥିଲା । ଯଦି ଅପରେସନ କରାଯାଇଥାନ୍ତା ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ହୋଇଥାନ୍ତା । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଡ଼ାକ୍ତର ଯଦି ଅପରେସନ ପୁର୍ବରୁ ରୋଗୀଙ୍କର ସମସ୍ତ ପରୀକ୍ଷା କରି ସାରିଥିଲେ ତେବେ ଏମିତି ଭୁଲ କଣ ପାଇଁ ହେଲା ।