ସମ୍ବଲପୁର : ରବି ଋତୁରେ ଚାଲିଛି ଧାନ କିଣା, ହେଲେ ବିଭିନ୍ନ ମଣ୍ଡିରେ ଦେଖାଦେଇଛି ଅବ୍ୟବସ୍ଥା

43

କନକ ବ୍ୟୁରୋ : ସମ୍ବଲପୁରରେ ରବି ଋତୁରେ ଧାନ କିଣା ଚାଲିଥିବା ବେଲେ ବିଭିନ୍ନ ମଣ୍ଡିରେ ଦେଖାଦେଇଛି ଅବ୍ୟବସ୍ଥା । ଚାଷୀର ପରିଶ୍ରମକୁ କରାଯାଉଛି ହତାଦର । ମଣ୍ଡି ଗୁଡିକରେ ଧାନ ଓଜନ ହେଉନଥିବା ବେଲେ ମିଲ୍ ମାଲିକ ଦେଉଥିବା ରସିଦ୍ରେ ଚାଷୀ ଙ୍କୁ ମିଲୁଛି ଟଙ୍କା ।

ସମ୍ବଲପୁର ଜିଲ୍ଲା ଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରୁଛନ୍ତି ମିଲ୍ ମାଲିକ । ମଣ୍ଡିରେ ଓଜନ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ଓଜନ ନକରି ମିଲରେ କରାଯାଉଛି ଚାଷୀଙ୍କ ଧାନର ଓଜନ । ମିଲ୍ ଦେଉଥିବା ରସିଦ୍ରେ ଚାଷୀ ମାନେ ପାଉଛନ୍ତି ସରକାରୀ ଧାନର ମୂଲ୍ୟ । ସରକାରୀ ନିୟମକୁ ଏଠି ଖୁଲମଖୁଲା ଉଲ୍ଲଘ୍ନ କରାଯାଉଛି । ସମ୍ବଲପୁର ଜିଲ୍ଲା ସାହାସପୁର ଉପବଜାର ଧାନ ମଣ୍ଡିରେ ଦେଖାଯାଇଛି ଏଭଳି ବ୍ୟତିକ୍ରମ । ମାପଯନ୍ତ୍ର କୁ ୨୭ ହଜାର ଟଙ୍କା ଖର୍ଚ୍ଚ କରି ମରାମତି କରାଯାଇଥିଲେ ମଧ୍ୟ କୌଣସି ଗୋଟିଏ ଚାଷୀର ଧାନ ଓଜନ କରାଯାଇନଥିବା ଜଣାପଡିଛି । ଅନ୍ୟପଟେ ଖୋଲା ଆକାଶ ତଲେ ଧାନ ମଣ୍ଡ ଚାଲିଥିବା ଦେଖାଯାଇଛି ।

ରାଜ୍ୟ ସରକାରଙ୍କ ନିୟମକୁ ଖୁଲମଖୁଲା ଉଲଂଘନ କରାଯାଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଚୁପ୍ ବସିଥିବା ବେଳେ ଉପଜିଲ୍ଲାପାଳ କହିଛନ୍ତି ଯୋଗାଣ ଅଧିକାରୀ ଏହା ଉପରେ ଦୃଷ୍ଟି ଦେବାକଥା ଘଟଣାର ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି । ରାଜ୍ୟ ସରକାର ସମ୍ବଲପୁର ଧାନ କିଣିବା ଘଟଣା ଉପରେ ଦୃଷ୍ଟି ଦେବା ସହିତ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହୋଇଛି ।