ସମ୍ବଲପୁରୀ ଭାଷା, ଐତିହ୍ୟର ପ୍ରଚାର ପ୍ରସାର ପାଇଁ ବାଟେଘାଟେ କାର୍ଯ୍ୟକ୍ରମ ଆୟୋଜିତ

96

କନକ ବ୍ୟୁରୋ : କୁହାଯାଏ ପୁରୁଣା ସଂସ୍କୃତି ଓ ପରଂପରା ଜଣଙ୍କୁ ମହନୀୟ କରିତୋଳିଥାଏ । ଆଉ ସମ୍ବଲପୁରୀ ଭାଷା, ଐତିହ୍ୟର ପ୍ରଚାର ଓ ପ୍ରସାର ପାଇଁ ସମ୍ବଲପୁରରେ ଆୟୋଜିତ ହୋଇଯାଇଛି ନିଆରା କାର୍ଯ୍ୟକ୍ରମ ବାଟେଘାଟେ । ଆଉ ଏହି ବାଟେଘାଟେ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ପୁରା ସମ୍ବଲପୁରୀ ଧୁମ୍ ।

ବାଜୁଛି ସମ୍ବଲପୁରୀ ସଂଗୀତର ଧୁନ୍ । ଆଉ ଏହାରି ସହ ଚାଲିଛି ଓଡିଶାର ଜୀବନରେଖା ମହାନଦୀର ଆଳତୀ । ସମ୍ବଲପୁରର ବିକାଶରେ ମହାନଦୀର ପ୍ରତ୍ୟକ୍ଷ ହାତଥିବାର ଅନୁଭବ କରି ସମ୍ବଲପୁର ବାସିନ୍ଦା ମହାନଦୀକୁ ଆଳତି କରୁଛନ୍ତି । ଏହାରି ସହ ସମ୍ବଲପୁରୀ ଖାଦ୍ୟ ଓ ସମ୍ବଲପୁରୀ ଲୋକଗୀତ ମନେପକାଇଦେଉଥିଲା ଏହି ଅଂଚଳର ସମୃଦ୍ଧ ଇତିହାସକୁ ।

କେବଳ ଲୋକଗୀତ ନୁହଁ ବରଂ ସମ୍ବଲପୁର ସହ ସଂପୃକ୍ତଥିବା ବ୍ୟକ୍ତବିଶେଷ ତଥା ଆରାଧ୍ୟାଦେବୀ ମା ସମଲେଇଙ୍କର ଚିତ୍ର ବି ନିଜ କାନଭାସରେ ଆଙ୍କିଥିଲେ ଚିତ୍ରଶିଳ୍ପୀ । ସେହିପରି ସମ୍ବଲପୁରୀ ପୋଷାକ ପରିଧାନ କରି ନିଜ ମା’ ମାଟିପ୍ରୀତି ଓ ସ୍ୱାଭିମାନର ପରିଚୟ ଦେଇଥିଲେ ଯୁବପିଢୀ । ଆଉ ଆଧୁନିକ ପୋଷାକରେ ବେଶ ଭଲଭାବେ ଫୁଟିଉଠୁଥିଲା ସମ୍ବଲପୁରୀ ବାସ୍ନା ।

ଏହି କାର୍ଯ୍ୟକ୍ରମରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ । ଆଉ ମନଭରି ଉପଭୋଗ କରିବା ସହ ପୁଣି ଆରବର୍ଷର ବାଟେଘାଟେ କାର୍ଯ୍ୟକ୍ରମକୁ ସମ୍ବଲପୁର ବାସିନ୍ଦାଙ୍କ ଅପେକ୍ଷା ।