ବିିଜେଡିକୁ ଓଢଣୀ ଅଡୁଆ ! ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ

64

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଳା ଓଢଣୀ ଓହ୍ଲାଇ ଅଡୁଆରେ ସରକାର । ସୁନ୍ଦରଗଡ ପ୍ରଶାସନର, ମହିଳାଙ୍କ ପ୍ରତି ଏଭଳି ଅପମାନଜନକ ଆଚରଣ ପ୍ରତିବାଦରେ ଗର୍ଜିଛନ୍ତି ବିରୋଧୀ । ବିଧାନସଭାରେ ହଙ୍ଗାମା କରିଛନ୍ତି । ନବୀନଙ୍କ ସଭାକୁ ଯାଉଥିବା ମହିଳାଙ୍କୁ ଓଢଣୀ ଖୋଲିବାକୁ ବାଧ୍ୟ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ପ୍ରତିବାଦରେ ବିଜେପି ସଦସ୍ୟ କକ୍ଷ୍ୟତ୍ୟାଗ କରିବା ସହ ଆସନ୍ତାକାଲି ରାଜ୍ୟବ୍ୟାପୀ ବିକ୍ଷୋଭ ଡାକରା ଦେଇଛ ଦଳ ।

black dupattaଗତକାଲି ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯାଉଥିବା ଯୁବତୀ ଓ ମହିଳାଙ୍କ ଦେହରୁ ଓଢଣୀ କାଢିଥିଲା ପ୍ରଶାସନ । ଧଳା ଶଂଖକୁ କଳା ଭୟ ଏତେ ଘାରିଛି ଯେ, ମାଆ ଭଉଣୀଙ୍କ କଳା ଓଢଣୀ ଖୋଲି ରଖିଦେବା ପାଇଁ ବାଧ୍ୟ କରାଗଲା । କଳା ପତାକା ଭୟରେ କଳା ଓଢଣୀକୁ ଦେଖି ବିଚଳିତ ହୋଇପଡିଥିଲା ପୋଲିସ । ଆଉ ଯିଏ ନବୀନଙ୍କ ସଭାସ୍ଥଳକୁ ଯିବାକୁ ଚାହୁଁଥିଲେ ସେ ବାଧ୍ୟ ହୋଇ ନିଜ ଓଢଣୀ ଓହ୍ଲାଇଥିଲା । ଏପରିକି କଳା ପୋଷାକ ପିନ୍ଧିଥିବା ମହିଳାଙ୍କୁ ଫେରାଇ ଦିଆଯାଇଥିଲା ।

ନାରୀଙ୍କୁ ଅସମ୍ମାନ ପ୍ରତିବାଦରେ ଆଜି ବିଧାନସଭାରେ ବିରୋଧୀ ହଙ୍ଗାମା କରିଥିଲେ । ସୁନ୍ଦରଗଡରେ ଘଟିଥିବା ଅଭାବନୀୟ ଘଟଣା ପାଇଁ ଗୃହକୁ ଚଳାଇ ଦେଇନଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ସୁରକ୍ଷା ନାଁରେ ଯାହା ଘଟିଲା ତାହା ମହିଳାଙ୍କୁ ନିର୍ଯାତନା । ମାଆଙ୍କୁ ସମ୍ମାନ, ଗାଁକୁ ରାସ୍ତା କଥା କହୁଥିବା ନବୀନ ସରକାର ମହିଳାଙ୍କ ଇଜ୍ଜତ ସହ ସାଙ୍ଘାତିକ ଖେଳ ଖେଳିଥିବା ଅଭିଯୋଗ କରିଛନ୍ତି ବିରୋଧୀ ସଦସ୍ୟ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଃସର୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।

ଏହାକୁ ରାଜନୈତିକ ମୁଦ୍ଦା କରିଛି ରାଜ୍ୟ ବିଜେପି । ପୂର୍ବରୁ ବରଗଡରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଏଭଳି କରାଯାଇଥିବା ଦଳ କହିଛି ।

କଳା ପତାକା ପ୍ରଦର୍ଶନ ବିରୋଧର ମାଧ୍ୟମ ପାଲଟିଛି । ହେଲେ ବିରୋଧ ଭୟରେ ଏଭଳି ସାମୁହିକଭାବେ ମହିଳାମାନଙ୍କ କଳା ଓଢଣୀ ଖୋଲିବା ପରେ, ପ୍ରଶ୍ନ ଘେରରେ ସରକାର । କାହା ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ନେଲା ପ୍ରଶାସନ, ତାକୁ ନେଇ ଉଠିଛି ଝଡ ।

ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତଦନ୍ତ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଏଥିସହ ଏଭଳି ଘଟଣାର ଯେଭଳି ପୁନରାବୃତି ନଘଟେ ସେନେଇ ସତର୍କ ରହିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।