ସମ୍ବଲପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ! ୬ ଜଣଙ୍କୁ ଗିରଫ କଲା ପୋଲିସ, ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ

24

କନକ ବ୍ୟୁରୋ : ସମ୍ବଲପୁରରେ ଜଣେ ନାବାଳିକାଙ୍କ ସର୍ବସ୍ୱ ଲୁଟିନେଇଛନ୍ତି ଅସାମାଜିକ ଯୁବକ । ଗତ ତିନି ତାରିଖରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ହୋଇଥିବା ଶାସନ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଆଜି ମାମଲାରେ ୬ଜଣଙ୍କୁ ଗିରଫ କରି ଡାକ୍ତରୀ ମାଇନା କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି । ୩ ତାରିଖ ରାତିରେ ଛାତ୍ରୀଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରିଥିଲେ ।

ଏମାନଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଜଣେ ଡିଏସପି ରାଙ୍କର ଅଧିକାରୀ ତଦନ୍ତ ଚଳାଇଥିବ । ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ସଂଜୀବ ଆରୋରା । ରାଜ୍ୟର ବିଭିନ୍ନ ସ୍ଥାନରୁ ବାରମ୍ବାର ଏଭଳି ନାବାଳିକାଙ୍କ ଉପରେ ଅମାନବୀୟ ଅତ୍ୟାଚାରର ଖବର ଆସିବାରେ ଲାଗିଛି । କେନ୍ଦ୍ର ସରକାର ପକ୍ସୋ ଆଇନରେ ସଂଶୋଧନ କରି ନୂଆ ଦଣ୍ଡବିଧାନ କରିଥିବାରୁ ନାବାଳିକା ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ, ଏଭଳି ନାରକୀୟ କାଣ୍ଡ ଉପରେ ଅଙ୍କୁଶ ଲଗାଇ ପାରିବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଗତମାସ ୨୧ ତାରିଖରେ ଏକ ଐତିହାସିକ ନିର୍ଣ୍ଣୟ ହୋଇଥିଲା । ୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ମିଳିବ ବୋଲି କେନ୍ଦ୍ର କ୍ୟାବିନେଟରେ ସ୍ୱୀକୃତି ଦିଆଯାଇଥିଲା । ତଥାପି ଦେଶରେ ଏପରି କୁକର୍ମ କମୁନି । ଦିନକୁ ଦିନ ବରଂ ବିକୃତ ମାନସିକଧାରୀ ଲୋକମାନେ ଏପରି ଅପକର୍ମ ଅଧିକ ଗରୁଛନ୍ତି । କାଠୁଆ, ସୁରାଟ୍ ଓ ଇନ୍ଦୋର୍ ନାବାଳିକା ବଳାତ୍କାର ଘଟଣାକୁ ନେଇ ଦେଶବ୍ୟାପୀ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିବା ପରେ କେନ୍ଦ୍ର ସରକାର ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିଲେ । ଏହା ବ୍ୟତୀତ ପୋକ୍ସୋ ବା ଶିଶୁ ଯୌନଶୋଷଣ ନିରାକରଣ ଆଇନରେ ସଂଶୋଧନ କରାଯିବ ବୋଲି ନିଷ୍ପତି ହୋଇଥିଲେ ।