ସମ୍ବଲପୁର ସଦର ମେଡିକାଲରୁ ଶିଶୁ ଚୋରି ଘଟଣା । ଆସିଲା ଡିଏନଏ ରିପୋର୍ଟ

25

କନକ ବ୍ୟୁରୋ : ସମ୍ବଲପୁର ସଦର ମେଡିକାଲରୁ ଶିଶୁ ଚୋରି ଘଟଣା ପରେ ବରଗଡରୁ ଉଦ୍ଧାର ହୋଇଥିବା ଶିଶୁର ଡିଏନଏ ରିପୋର୍ଟ ଆସିଲା । ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ବରଗଡରୁ ଉଦ୍ଧାର ହୋଇଥିବା ଶିଶୁ ଚୋରି ହୋଇଥିବା ଶିଶୁ ନୁହେଁ । ଏନେଇ ସମ୍ବଲପୁର ଏସପି ସଂଜୀବ ଅରୋରା ସୂଚନା ଦେଇଛନ୍ତି । ତେବେ ବରଗଡରୁ ଉଦ୍ଧାର ହୋଇଥିବା ଶିଶୁକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଗତ ମାର୍ଚ୍ଚ ମାସରେ ସମ୍ବଲପୁର ସଦର ହସପିଟାଲରୁ ନବଜାତକ ଚୋରି ହୋଇଥିଲା । ହସପିଟାଲ ବେଡ୍ରୁ ଯୁଯୁମୁରା ଆମ୍ବପାଲି ଗାଁର ଅନିରୁଦ୍ଧ ମାଝି ଓ ତାଙ୍କ ସ୍ତ୍ରୀ ଗୀତାଂଜଳିଙ୍କ ଶିଶୁ ପୁତ୍ରକୁ ଚୋରି କରିନେଇଥିଲେ ମହିଳା । ଏହି ଘଟଣାରେ ବରଗଡର ତଳିପଡା ଅଂଚଳରୁ ଶିଶୁ ପୁତ୍ର ସହ ଏକ ଦମ୍ପତିଙ୍କୁ ଆଣି ଅଟକ ରଖିଥିଲା ପୁଲିସ । ସେହି ଶିଶୁ ପୁତ୍ରର ଡିଏନଏ ଟେଷ୍ଟ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଛି । ଫଳରେ ଆଉ ଥରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ନିଖୋଜ ହୋଇଥିବା ଶିଶୁ ପୁତ୍ର ମିଳିବାର ଆଶା ।