ଦେଶରେ ପ୍ରଥମ ଥର ପାଇଁ ଉଇକିପିଡିଆରେ ଗଣସଂପାଦନା କଲେ ମହିଳା ସାମ୍ବାଦିକ ! ଶହେ ଜଣ ଓଡିଆ ମହିଳାଙ୍କ ବିଷୟରେ ଦେଲେ ତଥ୍ୟ

118

କନକ ବ୍ୟୁରୋ : ବିଶ୍ୱରେ ମାର୍ଚ୍ଚ ମାସକୁ ମହିଳାଙ୍କ ମାସ ବୋଲି କୁହାଯାଏ । ଏହି ମାସରେ ମହିଳାଙ୍କୁ ନେଇ ଓ ମହିଳାଙ୍କ ପାଇଁ ବହୁ କାର୍ଯ୍ୟକ୍ରମ ହୋଇଥାଏ । ଏହି ମାସରେ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛି ସମ୍ବାଦ ଓ ଉଇକିପିଡିଆ । ଓଡିଶାର ବିଶିଷ୍ଟ ମହିଳାଙ୍କ ବିଷୟରେ ଲେଖିବା ପାଇଁ ଆୟୋଜିତ ହୋଇଯାଇଛି ମହିଳା ଗଣସଂପାଦନା କାର୍ଯ୍ୟକ୍ରମ । ବିଶ୍ୱରେ ଦ୍ୱିତୀୟ ଏବଂ ଭାରତରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଶହେଜଣ ଓଡିଆ ମହିଳାଙ୍କ ବିଷୟରେ ଲେଖାଯାଉଛି ନିବନ୍ଧ । ସମ୍ବାଦ, କନକ ନ୍ୟୁଜ୍, ସମ୍ବାଦ ଡଟ୍ ଇନ୍, କନକ ଡଟ୍ ଇନର ମହିଳା ସାମ୍ବାଦିକମାନେ ସାମିଲ ହୋଇ ଲେଖିଛନ୍ତି ଓଡିଶାର ଶହେ ଜଣ ସଫଳ ମହିଳାଙ୍କ ବିଷୟରେ । ସାଧାରଣ ଲୋକ ଇଂଟରନେଟରେ ଖୋଜିଲେ ଏହି ମହିଳାଙ୍କ ବିଷୟରେ ଓଡିଆ ଭାଷାରେ ପାଇବେ ବହୁ ତଥ୍ୟ । ବିଶ୍ୱରେ ପ୍ରଥମ ଥର ପାଇଁ ବିବିସି ଏପରି ଏକ ଗଣ ସଂପାଦନ କାର୍ଯ୍ୟକ୍ରମ କରିଥିବା ବେଳେ ଭାରତରେ ପ୍ରଥମ ଥର ପାଇଁ ସମ୍ବାଦ ଓ ୱିକିପିଡିଆ ମିଳିତ ଭାବେ ଏହି କାର୍ଯ୍ୟକ୍ରମ କରିଛନ୍ତି ।

ଉଇକିପିଡିଆ ଏକ ମୁକ୍ତ ଜ୍ଞାନକୋଷ । ସବୁବର୍ଗର ଲୋକଙ୍କୁ ନିଜ ଭାଷାରେ ଜ୍ଞାନ ଆହରଣର ବାଟ କଢାଇବା ପାଇଁ ବିଶ୍ୱ ସ୍ତରରେ ଉଦ୍ୟମ କରୁଛି ଏହି ସଂଗଠନ । ଗତ କିଛି ବର୍ଷ ହେଲା ଓଡିଆ ଭାଷାରେ ଏହି ଇଂଟରନେଟ ଜ୍ଞାନକୋଷ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଥିରେ ରହିଛି ପ୍ରାୟ ୧୨ ହଜାରୁ ଅଧିକ ଲେଖା । କିନ୍ତୁ ଏଥିରେ ମହିଳାଙ୍କ ବିଷୟରେ କମ ଲେଖା ଥିବା ବେଳେ ସମ୍ବାଦ ସହଯୋଗରେ ଉଇକିପିଡିଆ ଏହି ଅଭାବ ପୂରଣ କରିବାକୁ ଲକ୍ଷ୍ୟ ରଖିଛି ।

ବଦଳୁଛି ଲୋକଙ୍କ ଆଗ୍ରହ, ବଦଳୁଛି ଆମ ଚାରିପାଖର ବୈଷୟିକ କୌଶଳ । ହାତ ପାହାନ୍ତାରେ ଲୋକ ପାଇବାକୁ ଚାହାନ୍ତି ସମସ୍ତ ତଥ୍ୟ । ସମ୍ବାଦ-ଉଇକିପିଡିଆର ଗଣସଂପାଦନ କାର୍ଯ୍ୟକ୍ରମ ଫଳରେ ଓଡିଶାର ମହିଳାଙ୍କ ବିଷୟରେ ଓଡିଆ ଭାଷାରେ ବହୁ ତଥ୍ୟ ଇଂଟରନେଟ୍ରେ ଉପଲବ୍ଧ ହୋଇପାରିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-