ସାହିତ୍ୟ ଘର ସମାବେଶରେ ଶିଶୁ ସାହିତ୍ୟର ସୁରକ୍ଷା ଚିନ୍ତା! ନୂଆ ପୀଢ଼ିକୁ ଯୋଡ଼ିବାକୁ ଡିଜିଟାଲ ଓ ଅନଲାଇନ୍ ମାଧ୍ୟମକୁ ବାଛିବାକୁ ଦେଲେ ଆହ୍ୱାନ

89

କନକ ବ୍ୟୁରୋ : କୁନି କୁନି ପିଲାଙ୍କ ହାତରେ ମୋବାଇଲ, ଲାପଟପ୍ ଭଳି ମାଧ୍ୟମ । ଆଉ ପିଲାମାନେ ଅଧିକ ପସନ୍ଦ କରୁଥିବା ମାଧ୍ୟମରେ ଯଦି ଆମେ ସେମାନଙ୍କ ପାଖରେ ପହଂଚିପାରିବା, ଆମ ଭାଷା ଓ ସାହିତ୍ୟକୁ ପହଂଚାଇ ପାରିବା, ତାହେଲେ ଅତି ସହଜରେ ଆମ ଭାଷାକୁ ପରବର୍ତୀ ପୀଢି଼ ସହ ପରିଚିତ କରାଇପାରିବା । କାଗଜରେ ମୁଦ୍ରିତ ବହି ଓ ପତ୍ରିକା ଅପେକ୍ଷା ଅନଲାଇନ୍ ଏବଂ ଡିଜିଟାଲ ମାଧ୍ୟମକୁ ଆମ ପିଲାମାନେ ଅଧିକ ଗ୍ରହଣ କରୁଥିବାରୁ, ନୂଆ ମାଧ୍ୟମ ଆପଣାଇବାକୁ ସାହିତ୍ୟ ଘର ଉତ୍ସବରେ ଆହ୍ୱାନ ଦିଆଯାଇଛି । ‘ସାହିତ୍ୟ ଘର’ର ପଂଚମ ରାଜ୍ୟସ୍ତରୀୟ ସମାବେଶରେ ଚଳିତବର୍ଷର ପ୍ରସଙ୍ଗ ଥିଲା-ଶିଶୁ ସାହିତ୍ୟ ।

ଭାଷାକୁ ସୁରକ୍ଷା ଦୃଷ୍ଟିରୁ ଉତର ପୀଢ଼ିକୁ ଆମ ଭାଷାର ଅନୁଗାମୀ କରିବା ପାଇଁ ଏହି ସମାବେଶରେ ଆହ୍ୱାନ ଦିଆଯାଇଛି । ତେଣୁ ପିଲାଙ୍କ ସାହିତ୍ୟକୁ ଅଧିକରୁ ଅଧିକ ଡିଜିଟାଲ ମାଧ୍ୟମକୁ ରୁପାନ୍ତରିତ କରିପାରିଲେ, ଏହା ସହଜ ଓ ସୁଲଭ ମୁଲ୍ୟରେ ପିଲାଙ୍କ ପାଖରେ ପହଂଚିପାରିବ । ହାତ ପାପୁଲିରେ ଥିବା ମୋବାଇଲ ଫୋନରେ ଯଦି ବର୍ଣ୍ଣବୋଧରୁ ଆରମ୍ଭ କରି ରାମାୟଣ, ମହାଭାରତ ଓ ମହାପୁରୁଷଙ୍କ ଜୀବନୀ ଭଳି ଲେଖା ଉପଲବ୍ଧ ହେବ, ତାହା ସହଜରେ ପରବର୍ତୀ ପୀଢ଼ି ପାଖରେ ଅଦୃତ ହେବ ବୋଲି ମତ ପ୍ରକାଶ ପାଇଥିଲା ।

ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଅନବରତ ଉଦ୍ୟମ କରୁଥିବା ସାହିତ୍ୟ ଘରର ୩୧୬ଟି ଶାଖା କାର୍ଯ୍ୟ କରୁଥିବା ବେଳେ ୧୧ ହଜାରରୁ ଅଧିକ ସଭ୍ୟ ଏଥିରେ ପଂଜିକୃତ ହୋଇଛନ୍ତି । ଆଉ ସମସ୍ତଙ୍କର ସେଇ ଗୋଟିଏ ଲକ୍ଷ୍ୟ । ପଂଚମ ରାଜ୍ୟସ୍ତରୀୟ ସମାବେଶରେ ସମ୍ବାଦର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, କନକ ନ୍ୟୁଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାରା ରାଜ୍ୟରୁ କ୍ରମାଗତ ଭାବେ ଏତେ ସଂଖ୍ୟାରେ ସାହିତ୍ୟପ୍ରେମୀ ଲୋକ ଯୋଡ଼ିହେଉଥିବାରୁ ଖୁସି ପ୍ରକାଶ କରିଥିଲେ । ଏହାସହ ଜ୍ଞାନପୀଠ ପୁରସ୍କାର ବିଜେତା ସୀତାକାନ୍ତ ମହପାତ୍ର, ଜ୍ଞାନପୀଠ ପୁରସ୍କାର ବିଜୟୀନୀ ପ୍ରତିଭା ରାୟଙ୍କ ଭଳି ମହାନ କଥାକାରମାନେ ଯୋଗ ଦେଇ ଚଳିତବର୍ଷର ପ୍ରସଙ୍ଗ-ଶିଶୁ ସାହିତ୍ୟ ଉପରେ ମାର୍ଗ ଦର୍ଶନ କରିଥିଲେ ।