ଆଜି ଦିଆଯିବ କର୍ପୋରେଟ ଏକ୍ସଲେନ୍ସ ଆୱାର୍ଡ ! ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହେବେ ମୁଖ୍ୟ ଅତିଥି, ଦ୍ୱିତୀୟ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ସମ୍ବାଦ

88

କନକ ବ୍ୟୁରୋ : ସମ୍ବାଦ ପକ୍ଷରୁ ଆଜି ସଫଳ ଉଦ୍ୟୋଗପତିଙ୍କୁ ସମ୍ମାନିତ କରାଯିବ । ବ୍ରାଣ୍ଡ ଅଫ ଓଡିଶା, ପ୍ରାଇଡ୍ ଅଫ ଇଣ୍ଡିଆ – ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ -୨୦୧୯ ପୁରସ୍କାର ପ୍ରଦାନ କରାଯିବ । ଭୁବନେଶ୍ବରର ହୋଟେଲ ମେ’ ଫେୟାର କନ୍ଭେନ୍ସନ୍ ହଲ୍ରେ ଏହି ଉତ୍ସବ ଅପରାହ୍ନ ୫ଟା ୩୦ରେ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ଚଳିତ ବର୍ଷ ହେଉଛି ଏହି ପୁରସ୍କାରର ଦ୍ୱିତୀୟ ସଂସ୍କରଣ । ଏହି ବର୍ଷ ୫ଟି ବିଭାଗରେ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ । ପ୍ରଥମ ଥର ପାଇଁ ସିଏସଆର ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ ।

ଉଲ୍ଲେଖଯୋଗ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ ବିଶେଷ ସୂଚନା ଗତ ନଭେମ୍ବରରେ ଦିଆଯାଇଥିଲା ଏବଂ ସ୍ବତନ୍ତ୍ର ଲୋଗୋକୁ ଉନ୍ମୋଚନ କରାଯାଇଥିଲା । ଏହାପରେ କମ୍ପାନିଗୁଡ଼ିକ ଠାରୁ ଆବେଦନ ଆହ୍ବାନ କରାଯାଇଥିଲା । ଚଳିତବର୍ଷ ଜାନୁଆରି ୪ରେ ଆବେଦନ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିଲା । ଏହାପରେ ବିଚାରକ ମଣ୍ଡଳୀଙ୍କ ଏକ ବୈଠକରେ ବିଜେତାମାନଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯିବ । ଚଳିତବର୍ଷ ପ୍ରଥମଥର ପାଇଁ ଏହି ପୁରସ୍କାରରେ ସିଏସ୍ଆର୍ ବର୍ଗକୁ ସାମିଲ କରାଯାଇଛି  । ଏହି ପୁରସ୍କାର ପାଇବା ପାଇଁ ଉଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଗତ ସଂସ୍କରଣ ତୁଳନାରେ ଏଥର ଦୁଇ ଗୁଣରୁ ଅଧିକ ଆବେଦନ ମିଳିଥିଲା ।