‘ସମ୍ବାଦ’ କର୍ପୋରେଟ୍ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮ ପ୍ରଦାନ ସମାରୋହ ଆଜି
କନକ ବ୍ୟୁରୋ : ‘ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮ର ପୁରସ୍କାର ପ୍ରଦାନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ହୋଟେଲ କ୍ରାଉନ୍ ପରିସରରେ ଅପରାହଣ ୫ଟାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସଫଳ ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରିବେ। ଏହି ସମାରୋହରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ।
Kanak News is now on WhatsApp
Join and get latest news updates delivered to you via WhatsApp
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮ର ଅଭିଯାନ ଆନୁଷ୍ଠାନିକ ଭାବେ ଗତବର୍ଷ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିଲା। ଏଥିପାଇଁ ପସ୍ତୁତ ଲୋଗୋ ବା ପ୍ରତୀକକୁ ହୋଟେଲ ମାରିଅନ୍ ପରିସରରେ ସେହିଦିନ ରାଜ୍ୟ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉନ୍ମୋଚନ କରିଥିଲେ। ଏହାପରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟକୁ ପ୍ରସାରିତ କରିଥିବା ସଫଳ ଉଦ୍ୟୋଗୀମାନଙ୍କଠାରୁ ପୁରସ୍କାର ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାର୍ବଜନୀନ ସାଧାରଣ ଉଦ୍ୟୋଗ(ପିଏସୟୁ), ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଏମର୍ଜିଂ ଆଦି ୫ଟି ବର୍ଗରେ ଶ୍ରେଷ୍ଠ ବିବେଚିତ ୩ଟି ଲେଖାଏଁ ଉଦ୍ୟୋଗକୁ ପ୍ଲାଟିନମ୍, ଗୋଲଡ ଏବଂ ସିଲଭର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।
‘ସମ୍ବାଦ’ ପକ୍ଷରୁ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପୁରସ୍କାର ପାଇଁ ଉଦ୍ୟୋଗୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ପୁରସ୍କାର ପ୍ରକ୍ରିୟାରେ ଭାଗ ନେବା ପାଇଁ ବହୁ ସଂଖ୍ୟକ ଉଦ୍ୟୋଗୀ ପଞ୍ଜୀକରଣ କରିଥିଲେ। ପ୍ରତ୍ୟେକ ବର୍ଗରେ ଆବେଦନଗୁଡ଼ିକ ହସ୍ତଗତ ହେବା ପରେ ଏକ ୩ ଜଣିଆ ବିଜ୍ଞ ଓ ସୁଦକ୍ଷ ବିଚାରକମଣ୍ଡଳୀ ଏହି ଆବେଦନଗୁଡ଼ିକୁ ବିଶ୍ଳେଷଣ କରି ପ୍ରତ୍ୟେକ ବିଭାଗରେ ୩ ଜଣ ଲେଖାଏଁ ଶ୍ରେଷ୍ଠ ଉଦ୍ୟୋଗୀଗୁଡ଼ିକୁ ଚୟନ କରିଛନ୍ତି। ଆଜି ହେବାକୁ ଥିବା ସମାରୋହରେ ଏହି ସଫଳ ଉଦ୍ୟୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ।