କରୋନା ଲଢେଇରେ ଅସହାୟଙ୍କୁ ମିଳିବ ସହଯୋଗ । ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଆରମ୍ଭ ହେଲା ବିପଦର ବନ୍ଧୁ କାର୍ଯ୍ୟକ୍ରମ, ପ୍ରତିଦିନ ହଜାରେ ଲୋକଙ୍କୁ ଯୋଗାଇଦିଆଯିବ ରନ୍ଧାଖାଦ୍ୟ ।

730

କନକ ବ୍ୟୁରୋ : କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ ଆରମ୍ଭ ହୋଇଛି ବିପଦ ବନ୍ଧୁ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ଏ.କେ.ଦାଶ ଆସୋସିଏଟସ ଲିମିଟେଡ ସହଯୋଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ହଜାରେ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ୟାକେଟ କରି ଦିଆଯାଇଛିି ।

ସାରା ବିଶ୍ୱକୁ କରୋନା କବଜା କରିନେଇଥିବା ବେଳେ ଏଭଳି କୌଣସି ଅଂଚଳ ନାହିଁ ଯାହା କରୋନା ଦ୍ୱାରା ପ୍ରଭାବିତ ହୋଇନାହିଁ । ଆଉ ଏତିକି ବେଳେ ପ୍ରଭାବିତଙ୍କ ଦୁଃଖ ବଢି ବଢି ଚାଲଛି । ଆଉ ଏତିକିବେଳେ ସେମାନଙ୍କ ବିପଦର ବନ୍ଧୁ ପାଲଟିଛି ସମ୍ବାଦ ଓ କନକ ନ୍ୟୁଜ । ଏ.କେ ଦାସ ଆସୋସିଏଟସ ସହାୟତାରେ ବିପନ୍ନଙ୍କ ପାଖରେ ରନ୍ଧାଖାଦ୍ୟ ପହଞ୍ଚାଇବାକୁ ଆରମ୍ଭ ହୋଇଛି ପ୍ରୟାସ ।

ଏପରି ଏକ ଘଡିସନ୍ଧି ମୂହୁର୍ତ୍ତରେ କାମ ବନ୍ଦ, ବଜାର ବି ବନ୍ଦ । ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପେଟକୁ ଦାନା ମଧ୍ୟ ନାହିଁ । ତେଣୁ କେହି ଯେପରି ଭୋକିଲା ନ ରହିବେ ସେଥିପାଇଁ ସମସ୍ତେ ପ୍ରୟାସ ଆରମ୍ଭ କରିବା ଦରକାର । ଏହି କ୍ରମରେ ରନ୍ଧା ଖାଦ୍ୟକୁ ପ୍ୟାକେଟ କରି ଭୋକିଲାଙ୍କ ପାଖରେ ପହଂଚାଇବାକୁ ପ୍ରୟାସ କରିଛି ସମ୍ବାଦ ଓ କନକ ନ୍ୟୁଜ ପରିବାର ।

ସରକାର ପହଂଚିବା ପୂର୍ବରୁ ସେହି ଭୋକିଲାଙ୍କ ପାଖରେ ପହଂଚିବା ଏବେ ଗୁରୁଦାୟିତ୍ୱ ହୋଇଯାଇଛି । ସରକାରୀ ସହାୟତାକୁ ଅପେକ୍ଷା ନକରି ବିପଦର ବନ୍ଧୁ ସାଜିବାର ଏବେ ସମୟ ଆସିଯାଇଛି । ତେଣୁ ଏହି ଅଭିଯାନରେ କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିହେବ ସେନେଇ ଚାଲିଛି ପ୍ରୟାସ । ପ୍ରାୟ ଏକ ହଜାର ପ୍ରଭାବିତଙ୍କୁ ଆଜି ଏହି ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା । ଆଗକୁ ମଧ୍ୟ ଏହି ଉଦ୍ୟମ ଆହୁରି ଜାରି ରହିବ । ଖାଲି ସମ୍ବାଦ ଓ କନକ ନ୍ୟୁଜ କାହିଁକି ଆପଣ ବି ଏମିତି କିଛି ଅଭିଯାନ କରନ୍ତୁ ଏବଂ ପଣ କରନ୍ତୁ ଯେମିତି ଏହି ସଙ୍କଟ ସମୟରେ କେହି ଭୋକିଲା ନ ରହିବେ ।