ଶିକ୍ଷୟତ୍ରୀ ତନୁଜା ଆଇଚ୍ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ! ପୋଲିସ କହିଲା ପୂରା କାହାଣୀ, କୁନିପୁଅ ଆଗରେ ମାଆକୁ ମାରି ଥିଲା ରାକ୍ଷସ ବାପା

77

କନକ ବ୍ୟୁରୋ : ଭୁବନେଶ୍ୱରରେ ଶିକ୍ଷୟତ୍ରୀ ତନୁଜା ଆଇଚଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ୍ ପୋଲିସ । ଦୁର୍ଘଟଣା ନୁହେଁ ତନୁଜାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି । ୪ ଦିନ ତଳେ ମହାବୀର ଛକ ନିକଟରେ ଦୁର୍ଘଟଣାଗସ୍ତ ଏକ କାରରୁ ଜବତ ହୋଇଥିଲା ତନୁଜାଙ୍କ ମୃତଦେହ । ଦୁର୍ଘଟଣା ପରେ ସ୍ତ୍ରୀର ମୃତଦେହକୁ ରାସ୍ତା ମଝିରେ ଛାଡି ପୁଅକୁ ନେଇ ଫେରାର ହୋଇ ଯାଇଥିଲା ଅଭିଯୁକ୍ତ ସ୍ୱାମୀ ସଂଗ୍ରାମ ଆଇଚ୍ । ଏସବୁ ଘଟଣା ଘଟିଥିଲା ୬ ବର୍ଷର କୁନି ପୁଅ ଆଖି ଆଗରେ ।

କୁନିପୁଅ ଆଗରେ ମାଆକୁ ମାରି ଦେଇଥିଲା ବାପା । ଏ ସବୁ ଘଟଣାର ଜଣେ ମାତ୍ର ୬ ବର୍ଷର ପୁଅ, ଯିଏ ଦେଖିଛି ବାପାର ରାକ୍ଷସ ରୂପ । ଭୁବନେଶ୍ୱରର ଶିକ୍ଷୟତ୍ରୀ ତନୁଜା ଆଇଚ୍ ହତ୍ୟାକାଣ୍ଡର ପର୍ଦାଫାସ ହେବା ପରେ ସାମନାକୁ ଆସିଛି ଏପରି ସାଂଘାତିକ ଘଟଣା । ଘରେ ହତ୍ୟା କରିବା ପରେ ପୁଅକୁ ନେଇ କିପରି ଫେରାର ହୋଇ ଯାଇଥିଲା ସ୍ୱାମୀ ସଂଗ୍ରାମ ଆଇଚ୍, ତା’ର ପୂରା ବିବରଣୀ ବଖାଣିଛି କମିସନରେଟ୍ ପୋଲିସ ।

ସେପ୍ଟେମ୍ବର ୩୦ ତାରିଖ । ସମୟ ପ୍ରାୟ ୧୦ଟା । ପରକୀୟା ପ୍ରୀତିକୁ ନେଇ ସ୍ୱାମୀ ସଂଗ୍ରାମ ଆଇଚ୍ ସହ ତନୁଜାଙ୍କ ଝଗଡ଼ା ତୀବ୍ର ରୂପ ନେଇଥିଲା । ସଂଗ୍ରାମ ନାଁରେ ଧର୍ଷଣ ମାମଲା ଚାଲିଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ତନୁଜାଙ୍କୁ ଧକ୍କା ଦେଇଥିଲା ସଂଗ୍ରାମ । ସିଡିରେ ତନୁଜା ପଡି ଯାଇଥିବା ବେଳେ ତାଙ୍କ ପାଟିକୁ ଚାପି ଧରିଥିଲା ଅଭିଯୁକ୍ତ । ତନୁଜା ଚେତା ହରାଇବା ପରେ ସଂଗ୍ରାମ ତା’ର ଜଣେ ବାନ୍ଧବୀଙ୍କୁ ଡକାଇ ରାତି ଅଧରେ ପ୍ରଥମେ କ୍ୟାପିଟାଲ ହସପିଟାଲ ପରେ କଟକର ଏକ ଘରୋଇ ହସପିଟାଲକୁ ନେଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବାନ୍ଧବୀ ସହ ମିଶି କିପରି ମୃତଦେହକୁ ଲୁଚାଇବା ପାଇଁ ଷଡଯନ୍ତ୍ର କରିବାକୁ ଯୋଜନା କରିଥିଲା ସଂଗ୍ରାମ । ହେଲେ ମହାବୀର ଛକ ନିକଟରେ ଦୁଘର୍ଟଣା ହୋଇଥିଲା ।

ହତ୍ୟା ଠାରୁ ଆରମ୍ଭ କରି ଦୁର୍ଘଟଣା ପର୍ଯ୍ୟନ୍ତ ସବୁଠି ଥିଲା ସେମାନଙ୍କର ୬ ବର୍ଷର ପୁଅ । ବାପାର ପାପକର୍ମର ପୂରା ପ୍ଲଟର ସାକ୍ଷୀ ରହିଛି ପୁଅ । ଗାଡି ଦୁର୍ଘଟଣା ଗସ୍ତ ହେବା ପରେ ମୃତ ପତ୍ନୀଙ୍କୁ ଛାଡି ପୁଅକୁ ଧରି କେଲକାତାକୁ ଫେରାର ହୋଇଥିଲା ସଂଗ୍ରାମ । ହତ୍ୟା ଅଭିଯୋଗରେ ସଂଗ୍ରାମ ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ତା’ର ବାନ୍ଧବୀକୁ ପୋଲିସ ପିନ୍ଧାଇଛି ହାତକଡ଼ି । ତନୁଜାଙ୍କ ଭାଇ ଅଭିଯୋଗ କରିଛନ୍ତି ହତ୍ୟା ଧମକ ଦେବା ସହ ସବୁବେଳେ ଶାରୀରିକ ନିର୍ଯାତନା ଦେଉଥିଲା ଅଭିଯୁକ୍ତ । ଏ ଏପରି ଏକ ହତ୍ୟାକାଣ୍ଡ ଯେଉଁଠି ଯେତିକି ରହସ୍ୟ ରହିଛି, ସେତିକି ରହିଛି ପରକୀୟା ପ୍ରୀତିର କରୁଣ ପରିଣତି ।