ଆଇପିଏସ ଅଫିସର ସାମନ୍ତ ଗୋଏଲଙ୍କୁ RAW ମୁଖ୍ୟ ଭାବେ ନିଯୁକ୍ତି ଦେଲେ ସରକାର ।  ବାଲାକୋଟ ଏୟାରଷ୍ଟ୍ରାଇକର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଥିଲେ ଚର୍ଚ୍ଚାରେ ।

156

ବାଲାକୋଟ ଏୟାରଷ୍ଟ୍ରାଇକର ମାଷ୍ଟରମାଇଣ୍ଡ ସାମନ୍ତ ଗୋଏଲଙ୍କୁ ଭାରତର ଗୁଇନ୍ଦା ସଂସ୍ଥା ‘RAW’ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ମୋଦି ସରକାର । ୧୯୮୪ ମସିହା ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ  ଗୁରୁତ୍ୱପୂର୍ଣ୍ଣ ପଦରେ ବସାଇଛନ୍ତି ମୋଦି ସରକାର । ଏହାଛଡା ବରିଷ୍ଠ ଆଇପିଏସ ଅଧିକାରୀ ଅରବିନ୍ଦ କୁମାରଙ୍କୁ IB ନିର୍ଦ୍ଦେଶକ ଭାବେ ଗୁରୁ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର ।

ପଞ୍ଜାବ କ୍ୟାଡର ଆଇପିଏସ ଅଫିସର ସାମନ୍ତ ଗୋଏଲ ହିଁ ବାଲାକୋଟ ଏୟାରଷ୍ଟ୍ରାଇକ ପଛର ମୁଖ୍ୟ ନାୟକ । ଯିଏ ଏୟାରଷ୍ଟ୍ରାଇକର ପୂରା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଆଉ ଭାରତୀୟ ବାୟୁସେନା କିଛି କ୍ଷଣ ମଧ୍ୟରେ ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀ ଆଡ୍ଡାକୁ ମାଟିରେ ମିଶାଇ ଦେଇଥିଲା । ପୂର୍ବତନ ର ମୁଖ୍ୟ ଅନୀଲ କୁମାର ଧାସମନାଙ୍କ ସ୍ଥାନରେ ନୂଆ ର ମୁଖ୍ୟ ଭାବେ ସାମନ୍ତ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୯୦ରେ ଯେତେବେଳେ ପଞ୍ଜାବରେ ଉଗ୍ରବାଦଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା ସେତେବେଳେ ଉଗ୍ରବାଦୀଙ୍କୁ ନିପାତ କରିବାକୁ ବଡ ଅଭିଯାନ ଚଳାଇଥିଲେ ସାମନ୍ତ ଗୋଏଲ ।

ସେହିଭଳି ନୂଆ ଆଇବି ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ଅରବିନ୍ଦ କୁମାର କାଶ୍ମୀର ମାମଲାର ବଡ ବିଶେଷଜ୍ଞ । ଏବେ ସେ କାଶ୍ମୀରରେ ଆଇବିର ବିଶେଷ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଅରବିନ୍ଦ କୁମାର ମଧ୍ୟ ୧୯୮୪ ବ୍ୟାଚର ଆସାମ-ମେଘାଳୟ କ୍ୟାଡରର ଆଇପିଏସ ଅଫିସର ।