ମହାମେଂଟରେ ଫାଟ ! ଅଖିଲେଶ ଚାହୁଁଛନ୍ତି ଅଲଗା ନିର୍ବାଚନ ଲଢ଼ୁ କଂଗ୍ରେସ

48

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ମୋଦିଙ୍କୁ କଡ଼ା ଟକ୍କର ଦେବେ ବିରୋଧୀଙ୍କ ମହାମେଂଟ । ଆଗାମୀ ଲୋକସଭା ନିର୍ବାଚନରେ ମୋଦିଙ୍କୁ ପରାଜିତ କରିବା ପାଇଁ ବିପକ୍ଷ ଦଳ ଏକଜୁଟ ହେଉଛନ୍ତି । ତେବେ ବିରୋଧୀ ଦଳ ଗୁଡ଼ିକ ଭିତରେ ଫାଟ ସୃଷ୍ଟି ହେଉଥିବାର ଖବର ଆସୁଛି । ସମାଜବାଦି ପାର୍ଟି (ସପା) ଉତ୍ତରପ୍ରଦେଶରେ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିବା ଇଚ୍ଛୁକ ନୁହେଁ । ବିଶ୍ୱସ୍ତ ସୂତ୍ର ଅନୁସାରେ ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ୮୦ଟି ସିଟରୁ କଂଗ୍ରେସକୁ କେବଳ ୨ ଟି ସିଟ୍ ଦେବାକୁ ଚାହାନ୍ତି ସପାର ରାଷ୍ଟ୍ରିୟ ଅଧ୍ୟକ୍ଷ ଅଖିଲେଶ୍ ଯାଦବ ।

akhilesh-yadav-lead
Photo courtesy : indianexpress.com

ସୂତ୍ର ଅନୁସାରେ ଲୋକସଭା ନିର୍ବାଚନରେ ସମାଜବାଦ ପାର୍ଟି କେବଳ ଆମେଠି ଓ ରାୟବରେଲି ସିଟ ହିଁ କଂଗ୍ରେସକୁ ଦେବାକୁ ଚାହୁଁଛି । ଏଥିରୁ ଆଉ ଗୋଟିଏ ବି ସଟ୍ ଅଧିକ ଦେବା ପାଇଁ ରାଜି ନୁହେଁ ସପା । ଏନେଇ କଂଗ୍ରେସକୁ ସପା ପ୍ରସ୍ତାବ ଦେବା ପାଇଁ ଯୋଜନା କରିଛି । ସପାର ସୂତ୍ର ଅନୁସାରେ ଦଳ ୟୁପିରେ ତ୍ରିକୋଣୀୟ ମୁକାବିଲା ଚାହୁଁଛି ଏବଂ ମହାମେଂଟରେ କଂଗ୍ରେସକୁ ସାମିଲ ହେଉ ବୋଲି ଚାହୁଁନି ସପା ।

ଆସନ୍ତାକାଲି ଅଖିଲେଶ ଯାଦବ ଦିଲ୍ଲୀ ଯିବେ । ଆଉ ସେଠାରେ ୩ ଦିନ ପର୍ଯ୍ୟନ୍ତ ରହିବାର ଯୋଜନା ରହିଛି । କୁହାଯାଉଛି ଏହି ରହଣୀ ସମୟରେ ମହାମେଂଟର ଅନ୍ୟ ନେତା ମାନଙ୍କୁ ଅଖିଲେଶ ଅଲଗା ଅଲଗା ସାକ୍ଷାତ କରିବେ । ୨ରୁ ୩ ଦିନ ରହିବା ପରେ ଅଖିଲେଶ ଯାଦବ ପରିବାର ସହ ଛୁଟି କଟେଇବା ପାଇଁ ବିଦେଶ ଯିବେ । ତାଙ୍କର ଏହି ଦିଲ୍ଲୀ ଯାତ୍ରା ମହାମେଂଟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀଙ୍କ ଇଫତାର ପାର୍ଟିରେ ଅଖିଲେଶ ଯାଦବ ଓ ତାଙ୍କ ଦଳର କେହି ହେଲେ ଉପସ୍ଥିତ ନଥିଲେ । ଆଉ ସେବେଠାରୁ କଂଗ୍ରେସ ଓ ସପା ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା କଥା ଜଣାପଡ଼ିଛି ।