ପାଇକାରୀ ସମବାୟ ଭଣ୍ଡାରରେ ବି ଦୁର୍ନୀତି : ଭଣ୍ଡାରର ସଭାପତିଙ୍କ ବିରୋଧରେ ଅର୍ଥ ହରିଲୁଟ ଅଭିଯୋଗ

38

କନକ ବ୍ୟୁରୋ : ଲୋକଙ୍କ ସୁବିଧା ପାଇଁ ସମବାୟ ବିଭାଗ କରିଛି ପାଇକାରୀ ସମବାୟ ଭଣ୍ଡାର । ହେଲେ ଏଗୁଡିକ କିଭଳି ଚାଲିଛି ସେଥିପ୍ରତି କାହାର ନଜର ନାହିଁ । ଯାହାର ଫାଇଦା ଉଠାଉଛନ୍ତି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି । ବ୍ରହ୍ମପୁର ପାଇକାରୀ ଭଣ୍ଡାରର ସଭାପତି, ସମବାୟ ନିୟମକୁ ଜଳାଜଂଳି ଦେଇ, ବିଧାୟକ ଓ ସାଂସଦ ପାଣ୍ଠିରେ ଦୋକାନ ଓ କଲ୍ୟାଣ ମଣ୍ଡପ କରି ସେଥିରୁ ଆଦାୟ ହେଉଥିବା ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହୋଇଛି । ଆଉ ଏ ଅଭିଯୋଗ ଆଣିଛନ୍ତି ଗଂଜାମ ଜିଲ୍ଲା ସମବାୟ ସଂଘର ସଭାପତି ସନାତନ ସଂଗ୍ରାମ ସିଂ । ସେ ଏବାବଦରେ ଜିଲ୍ଲା ପ୍ରଶାସନ ଓ ସମବାୟ ମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି ।

ଜିଲ୍ଲା ସମବାୟ ସଂଘର ସଭାପତିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପାଇକାରୀ ଭଣ୍ଡାରର ସଭାପତି ସୁଧୀର କୁମାର ରାଉତ । ଭଣ୍ଡାର ଗୁଡିକୁ ୩୩ ବର୍ଷ ଭିତରେ ଟଙ୍କାଟିଏ ସରକାରୀ ଅନୁଦାନ ଆସିନଥିବା ବେଳେ କୋଟି କୋଟି ଟଙ୍କା ହେରଫେର୍ ହେଲା କେମିତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ମାଟ ୬୦ଟି ପାଇକାରୀ ଭଣ୍ଡାର ଥିବା ବେଳେ ଅଭିବକ୍ତ ଗଂଜାମ ଜିଲ୍ଲାର ଆସିକା, ଛତ୍ରପୁର, ଭଂଜନଗର, ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରେ ପାଇକାରୀ ଭଣ୍ଡାର ରହିଛି । କିଛି ଦିନ ହେବ ବ୍ରହ୍ମପୁର ଭଣ୍ଡାରରେ ଦୁର୍ନୀତି ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଦୁର୍ନୀତି ଅଭିଯୋଗକୁ ନେଇ ସରକାର ଅନୁଧ୍ୟାନ କରୁଛନ୍ତି । ଆବଶ୍ୟକ ପଡିଲେ ତଦନ୍ତ ନିର୍ଦେଶ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସମବାୟ ପାଇକାରୀ ଦୁର୍ନୀତି ଅଭିଯୋଗର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।