ବିବାଦ ଭିତରେ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା ! ଆଉ ରହିବେନି ଓଡ଼ିଶା ସରକାରଙ୍କ ବୈଷୟିକ ପରାମର୍ଶଦାତା

27

କନକ ବ୍ୟୁରୋ : ବିବାଦ ଭିତରେ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା । ଓଡ଼ିଶା ସରକାରଙ୍କ ବୈଷୟିକ ପରାମର୍ଶଦାତା ପଦରୁ ଆଜି ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା । ନବୀନ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ଏବଂ ରାଜ୍ୟରେ ଆଇଟି କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ଧନ୍ୟବାଦ ଦେଇଛନ୍ତି । କିଛି ଦିନ ତଳେ ସାମ୍ ପିଟ୍ରୋଡାଙ୍କୁ କଂଗ୍ରେସ ତାର ଓଭରସିଜ୍ ଡିପାର୍ଟମେଂଟର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲା । ଏହାପରେ ବିବାଦ ଭିତରକୁ ଆସିଥିଲା ପିଟ୍ରୋଡାଙ୍କ ଭୂମିକା ।

ପିଟ୍ରୋଡା କାହାର? କଂଗ୍ରେସ ନା ବିଜେଡିର । ଏହାକୁ ନେଇ ଉଠିଥିଲା ପ୍ରଶ୍ନ । ସେପଟେ ରାଜ୍ୟ ପାଇଁ ପିଟ୍ରୋଡା କଣ କରିଛନ୍ତି, ତାକୁ ନେଇ ପ୍ରଶ୍ନ ଉଠାଇଥିଲା ବିଜେପି । ଏପରିକି ବର୍ଷ ବର୍ଷ ଧରି ଓଡିଶାରେ ପିଟ୍ରୋଡାଙ୍କ ଦେଖା ମିଳିନଥିବା ଦଳ ଅଭିଯୋଗ କରିଥିଲା । ଏହାରି ଭିତରେ କଂଗ୍ରେସ ତାଙ୍କୁ ବଡ ନିଯୁକ୍ତି ଦେଇଥିଲା । ସମସ୍ତଙ୍କ ନଜର ଥିଲା ଏବେ କଣ କରିବେ ପିଟ୍ରୋଡା? ଆଜି ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା ।

ଦେଢ ବର୍ଷ ତଳେ ପିଟ୍ରୋଡାଙ୍କୁ ରାଜ୍ୟର ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇ କ୍ୟାବିନେଟ୍ ପାହ୍ୟା ଯୋଗାଇ ଦେଉଥିଲେ । ସେପଟେ ୧୯୮୦ ଦଶକରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଟେଲିକମ୍ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ ସାମ୍ ପିଟ୍ରୋଡା । ପରେ ଗାନ୍ଧି ପରିବାର ସହ ପିଟ୍ରୋଡାଙ୍କ ସମ୍ପର୍କ ନିବିଡ ହୋଇଥିଲା । ତେବେ ଓଡିଶାରେ ପିଟ୍ରୋଡାଙ୍କୁ ନିଯୁକ୍ତି ନେଇ ଆରମ୍ଭ ହୋଇଥିଲା ବିତର୍କ ।