ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ମାନସିକ ତଥା ଶାରୀରିକ କ୍ଷେତ୍ରରେ ଅନଗ୍ରସର । ତେବେ ଭିନ୍ନକ୍ଷମତାକୁ ଦୁର୍ବଳତା ମନେ ନକରି ଆଗକୁ ବଢ଼ିବା ହିଁ ସବୁଠାରୁ ବଡ଼ କଥା । ଆଜିକା ସମୟରେ ହାତ ଗୋଡ଼ ଥାଇ ମଧ୍ୟ ଲୋକେ ଷ୍ଟେସନ, ବସଷ୍ଟାଣ୍ଡ ତଥା ଜନଗଳହିପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଭିକ ମାଗୁଥିବାର ଆପଣମାନେ ଦେଖିଥିବେ । କିନ୍ତୁ ରାଂଚିର ଲକ୍ଷ୍ମୀ ବିଲକୁଲ ଜଣେ ନିଆରା ମଣିଷ । ଗୋଟିଏ ହାତ ନଥିଲେ ଲୋକେ ନିଜକୁ ଅକ୍ଷମ ଅନୁଭବ କରନ୍ତି, କିନ୍ତୁ ଦୁଇ ହାତ ନଥାଇ ମଧ୍ୟ ଲକ୍ଷ୍ମୀ କେବେ ହାରିଯାଇ ନାହାନ୍ତି । ସେ ତାଙ୍କ ଦୁର୍ବଳତା ଆଗରେ ହାର ମାନିନଥିଲେ । ପାହାଡ଼ ପରି ଶକ୍ତ ହୋଇ ନିଜ ଆଗାମୀ ଜୀବନ ପାଇଁ ଚିନ୍ତା କଲେ ।

ଝାଡ଼ଖଣ୍ଡର ରାଜଧାନୀ ରାଂଚିରୁ ପାଖାପାଖି ୨୫ କିମି ଦୂରରେ ଥିବା ଏକ ଛୋଟ ଗାଁ ଟୁକ୍କୋରେ ରହୁଥିବା ଲକ୍ଷ୍ମୀଙ୍କର ପିଲାଦିନୁ ଦୁଇ ହାତ ନାହିଁ । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନୁହେଁ । ତେବେ ଅକ୍ଷମତା ଆଗରେ ହାର ନମାନି ଲକ୍ଷ୍ମୀ ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଗକୁ ବଢ଼ିଚାଲିଥିଲେ । ସେ ତାଙ୍କ ପରିବାରରେ ନୁହେଁ ଗାଁରେ ମଧ୍ୟ ସବୁଠାରୁ ଅଧିକ ପାଠ ପଢ଼ିଛନ୍ତି । ମନୋବିଜ୍ଞାନରେ ସେ ସ୍ନାତ୍ତୋକ କରିଛନ୍ତି । ନିଜ ଦୁର୍ବଳତାକୁ ଧ୍ୟାନରେ ରଖି ଲକ୍ଷ୍ମୀ ନିଜ ପରି ପିଲାଙ୍କୁ ସାହାଯ୍ୟ କରିବା ପାଇଁ ମନରେ ପ୍ରତିଜ୍ଞା କରିଥିଲେ । ଆଉ ଆଜି ସେ ଗୁରୁନାନାକ ହ୍ୟାଣ୍ଡିକ୍ୟାପ ହସପିଲଟାଲ ଫର ଚିଲରେନରେ କାମ କରନ୍ତି । ସେଠାରେ ଅଛନ୍ତି ପ୍ରାୟ ୩୦୦ ପିଲା । ପିଲାଙ୍କ ଦେଖାଶୁଣା ସହ ଅଫିସ କାମ ମଧ୍ୟ ସେ ଏକା ସମ୍ଭାଳନ୍ତି । ଏହାସହ ରୋଷେଇ ମଧ୍ୟ ତାଙ୍କୁ ଭଲଭାବେ ଜଣା । ଆଉ ଖୁବ ଶୀଘ୍ର ମଧ୍ୟ ସେ କାମ କରିପାରନ୍ତି ।

ଦୁଇ ହାତ ନଥିବାରୁ ଲକ୍ଷ୍ମୀଙ୍କ ଉପରେ ତାଙ୍କ ପରିବାର ଲୋକ ମଧ୍ୟ ଭରସା କରୁନଥିଲେ । ତାଙ୍କ ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତିତ ଥିଲେ । ଆଉ ଗାଁ ଲୋକେ ମଧ୍ୟ ତାଙ୍କୁ ଅନେକ କଥା କହୁଥିଲେ । କିନ୍ତୁ ଲକ୍ଷ୍ମୀ କାହା କଥା ନଶୁଣି ଆଗକୁ ବଢ଼ିବାରେ ଲାଗିଲେ । ଶେଷର ତାଙ୍କ ପରଶ୍ରମ ସଫଳ ହେଲା । ନିଜେ ପାଠ ପଢ଼ିଲେ, କିନ୍ତୁ ଚାକିରି ପାଇଁ ତାଙ୍କୁ ବହୁତ କଷ୍ଟ କରିବା ପାଇଁ ପଡ଼ିଥିଲା । ଅନେକ ବିଫଳତା ପରେ ସେ ସଫଳ ହୋଇଥିଲେ । ଆଜି ପୁରା ପରିବାର ତଥା ଗାଁ ଲୋକେ ମଧ୍ୟ ତାଙ୍କ ପାଇଁ ଗର୍ବିତ ।