ଭିମସାର ନିର୍ଦ୍ଦେଶକଙ୍କ ଲୁଣ ଚିକିତ୍ସା । କ୍ୟାନସର ରୋଗୀଙ୍କ ପେଟରେ ପୁଳାପୁଳା ଲୁଣ ଦେବାରୁ ବଢିଗଲା ସୋଡିୟମ ମାତ୍ରା, ଚାଲିଗଲା ଜୀବନ

1,324

କନକ ବ୍ୟୁରୋ : ଲୁଣ ଚିକିତ୍ସା ନେଇଗଲା ରୋଗୀର ଜୀବନ । ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ପରୀକ୍ଷାନିରୀକ୍ଷା ଏବଂ ଅସ୍ତ୍ରୋପୋଚାର ବେଳେ ଲୁଣ ପ୍ରଯୋଗ ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ପୁଣିି ଅଭିଯୋଗ ଆଣିଛନ୍ତି ଜୁନିୟର ଡାକ୍ତର ସଂଘ । କିନ୍ତୁ ଏଥର ତଥ୍ୟପ୍ରମାଣ ଏବଂ ମୃତ ରୋଗୀଙ୍କ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ରିପୋର୍ଟ ସହ ଅଭିଯୋଗ ଆଣିଛି । ଜଣେ କ୍ୟାନସର ରୋଗୀଙ୍କ ଅପରେସନ୍ ବେଳେ ଲୁଣ ଢ଼ଳା ଯାଉଥିବାର ଚିତ୍ର ବି ସାମ୍ନାକୁ ଆସିିଛି ।

ଚିକିତ୍ସା ନାଁରେ ରୋଗୀର ଜୀବନ ସହ କେମିତି ଖେଳ ଖେଳା ଯାଇପାରେ ତା’ର ବଡ ପ୍ରମାଣ ସାମ୍ନାକୁ ଆସିଛି । ଜଣେ କ୍ୟାନସର ରୋଗୀଙ୍କ ଅପରେସନ୍ ସମୟରେ ପେଟ ଭିତରେ କେମିତି ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ ଏବଂ ତାଙ୍କ ଟିମ୍ ଲୁଣ ଭର୍ତି କରୁଛନ୍ତି ତାହାର ଚିତ୍ର ଏବେ ସାମ୍ନାକୁ ଆସିଛି । ତେବେ ଏଭଳି ଲୁଣ ଚିକିତ୍ସା ପାଇଁ ଜଣେ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛି ଜୁନିୟର ଡାକ୍ତର ସଂଘ । କେବଳ ଅଭିଯୋଗ କରିନି, ବରଂ ଚିକିତ୍ସାର ସଂପୂର୍ଣ୍ଣ ବିବରଣୀ ରଖିଛି ।

ଅଗଷ୍ଟ ୨୭ । ସ୍ଥାନ: ବୁର୍ଲା ମେଡିକାଲ । କ୍ୟାନସର ରୋଗରେ ପୀଡିତ ଜଣେ ରୋଗୀଙ୍କ ଚିକିତ୍ସା କରୁଥିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ । ରୋଗୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟ କହୁଛି-ଅପରେସନ୍ ପୂର୍ବରୁ ରୋଗୀଙ୍କ ସୋଡିୟମର ପରିମାଣ ଥିଲା ୧୩୮ ଏମଇକ୍ୟୁ । ଜଣେ ସାଧାରଣ ମଣିଷର ଶରୀରରେ ସୋଡିୟମ ରହିବା କଥା ୧୩୫ରୁ ୧୪୫ ଏମ୍ଇକ୍ୟୁ । ଆର୍ଥତ୍ ରୋଗୀଙ୍କ ଶରୀରରେ ସୋଡିୟମ୍ ମାତ୍ରା ନର୍ମାଲ ଥିଲା ।

୨୭ ଅଗଷ୍ଟରୁ ନଭେମ୍ବର ୧ ତାରିଖ ଭିତରେ ଅପରେସନ୍ ପରେ ବଦଳି ଗଲା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ସେତେବେଳକୁ ରୋଗୀଙ୍କ ଶରୀରରେ ସୋଡ଼ିୟମର ପରିମାଣ ପହଂଚିଗଲା ୧୬୭ ଏମଇକ୍ୟୁ । ତେବେ ମାତ୍ର ୫ ଦିନ ମଧ୍ୟରେ ଶରୀରରେ ସୋଡିୟମର ମାତ୍ରା ଏତେ କିଭଳି ବୃଦ୍ଧି ପାଇଲା ତାହାର ରିପୋର୍ଟ ଦେଖିଲେ ଆପଣ ତାଜୁବ ହେବେ । ଜୁନିୟର ଡାକ୍ତର ଯେଉଁ ରିପୋର୍ଟ ସାମ୍ନାକୁ ଆଣିଛନ୍ତି ସେଥିରେ ରୋଗୀଙ୍କ ପେଟରେ ଲୁଣ ଢ଼ାଲି ଚିକିତ୍ସା କରିବା ପରେ ଅତି ଗୁରୁତର ହୋଇଗଲା ସ୍ୱାସ୍ଥ୍ୟବସ୍ଥା । ସ୍ଥିତି ଏମିତି ହେଲା ଯେ, ରୋଗୀ ନିଶ୍ୱାସ ନେଇ ପାରୁନଥିଲେ । ଆଉ ଶେଷରେ ନଭେମ୍ବର ୧ ତାରିଖ ୫ଟା ୩୦ରେ ଉଡିଗଲା ପ୍ରାଣ ବାୟୁ ।

ରୋଗୀଙ୍କ ଚିକିତ୍ସାକୁ ନେଇ ପରୀକ୍ଷାନିରୀକ୍ଷା କରୁଥିବା ଡାକ୍ତର ଅଶ୍ୱିନୀ ପୂଜାହାରୀ କିନ୍ତୁ ଯୁକ୍ତି ଦର୍ଶାଇ ଆସୁଛନ୍ତି- କ୍ୟାନସର ଚିକିତ୍ସା କିମ୍ବା କୌଣସି ସଂକ୍ରମଣ ବେଳେ ହାଇପରଟନିକ୍ ସାଲାଇନରେ ସଂକ୍ରମିତ ସ୍ଥାନକୁ ଧୋଇବାର ବ୍ୟବସ୍ଥା ରହିଛି । ଏମିତି କି ସେ, ଛାତ୍ର ଥିବା ସମୟରେ ଶିକ୍ଷକଙ୍କଠାରୁ ଲୁଣ ଚିକିତ୍ସା ଶିଖିଥିବା କହିବାକୁ ପଛାଇନଥିଲେ ଅଶ୍ୱିନୀ ପୂଜାହାରୀ ।

ଅନ୍ୟପଟେ ଅଶ୍ୱିନୀ ପୂଜାହାରୀ କରୁଥିବା ଲୁଣ ଚିକିତ୍ସା, ମେଡିକାଲ ପାଠ୍ୟକ୍ରମର ପରିସର ଭୁକ୍ତ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ସେରିବ୍ରାଲ ଏଡିମା, ଇଂଟର କ୍ରୋନିଆଲ୍ ରେଜଟ ପ୍ରେସର୍, ହାଇପୋ ଭୋଲିଓମିକ୍ ସକ୍ ଭଳି ଚିକିତ୍ସା କ୍ଷେତ୍ରରେ ହାଇପର ଟନିକ୍ ସାଲାଇନର ବ୍ୟବହାର କରାଯାଇଥାଏ । କାରଣ ଏହା ଅତ୍ୟଧିକ ଲୁଣ ଯୁକ୍ତ ତରଳ ପଦାର୍ଥ । କିନ୍ତୁ ଲୁଣ ନୁହେଁ ବୋଲି କିଛି ଡାକ୍ତର କହିଛନ୍ତି ।ଭିମସାର ଭଳି ରାଜ୍ୟର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଲୁଣ ଚିକିତ୍ସା ଯେତିକି ବଡ ବିବାଦ ସୃଷ୍ଟି କରିଛି ତାଠୁ ଅଧିକ ଆଶ୍ଚର୍ଯ୍ୟ କରୁଛି ଭିମସାର ନିର୍ଦ୍ଦେଶକଙ୍କ ଯୁକ୍ତି । ଆଉ ଏହି ଆରୋପ-ପ୍ରତ୍ୟାରୋପ ଭିତରେ ଜୁନିୟର ଡାକ୍ତର ସଂଘ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।