ସଲମାନ୍ ଖାନଙ୍କ କୃଷ୍ଣସାର ମୃଗ ଶିକାର ମାମଲା ! ଆଜି ହୋଇପାରିଲାନି ଶୁଣାଣି, ଶୁଣାଣି ତାରିଖ ଜୁଲାଇ ୧୭କୁ ଘୁଞ୍ଚିଲା ।

53

ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁରର ସିଜିଏମ୍ କୋର୍ଟ ଦ୍ୱାରା ଶୁଣାଯାଇଥିବା ୫ ବର୍ଷର ଦଣ୍ଡକୁ କୋହଳ କରିବା ପାଇଁ ଅଭିନେତା ସଲମାନ ଖାନଙ୍କୁ ଆଜି ସେନ୍ସସ୍ କୋର୍ଟକୁ ଆସିବାକୁ ପଡିଛି । କୋର୍ଟରେ ଆଜି ଏହି କେସର ପ୍ରଥମ ଶୁଣାଣି ରହିଛି । ଏହି ଦଣ୍ଡାଦେଶକୁ ବିରୋଧ କରୁଥିବା ସଲମାନ ନିଜ ଦୁଇ ଭଉଣୀଙ୍କ ସହ କୋର୍ଟ ପରିସରରେ ପହଞ୍ଚିଥିଲେ । ଯୋଧପୁର ଜିଲ୍ଲା ଜଜ୍ ଚନ୍ଦ୍ରକୁମାର ସୋନଗାରା ଏହି କେସକୁ ହାତକୁ ନେଇଥିବାବେଳେ ପରବର୍ତ୍ତୀ ଶୁଣାଣି ତାରିଖକୁ ୧୭ ଜୁଲାଇ ରଖିଛନ୍ତି । ସଲମାନଙ୍କ ଓକିଲ ମହେଶ ବୋହରା କୋର୍ଟରେ ସଲମାନଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହେବାରୁ ମୁକ୍ତି ଦେବା ପାଇଁ କୋର୍ଟକୁ ପିଟିସନ୍ ଜାରି କରିଛନ୍ତି ।
ସକାଳ ୮.୩୦ ରେ ଏହି କୋର୍ଟର ଶୁଣାଣି ଚାଲିଥିବାବେଳେ ବାହାରେ ସଲମାନଙ୍କ ପ୍ରଶଂସକଙ୍କ ଭିଡ ମଧ୍ୟ ରହିଥିଲା । କିନ୍ତୁ କୋର୍ଟରେ ୧୦ ମିନିଟ୍ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା । ପ୍ରଶଂସକଙ୍କ ଗହଳିକୁ ଆଖିଆଗରେ ରଖି କୋର୍ଟ ବାହାରେ ସଶସ୍ତ୍ର ପୋଲିସବାହିନୀଙ୍କୁ କାର୍ଯ୍ୟରେ ଲଗାଯାଇଥିଲା । ପ୍ରଥମେ ଦୁଇ ଭଉଣୀ ଅଲବିରା ଏବଂ ଅର୍ପିତାଙ୍କ ପରେ ସଲମାନ ନିଜ ଅଙ୍ଗୀରକ୍ଷୀ ସେରାଙ୍କ ସହ କୋର୍ଟରୁମକୁ ପ୍ରବେଶ କରିଥିଲେ ।
ଆପଣଙ୍କୁ ସୁଚାଇ ଦେଉଛୁ ଯେ ଗତ ଏପ୍ରିଲ ୫ ତାରିଖରେ ଯୋଧପୁରର ସିଜିଏମ୍ କୋର୍ଟ ତରଫରୁ ସଲମାନଙ୍କୁ କଙ୍କାଣୀ ଗ୍ରାମର ଦୁଇ କୃଷ୍ଣସାର ମୃଗଙ୍କୁ ଶିକାର କରିବା ଘଟଣାରେ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଦଣ୍ଡ ଶୁଣାଣି ପରେ ସଲମାନଙ୍କୁ ଦୁଇ ରାତି ଯୋଧପୁର ସେଣ୍ଟ୍ରାଲ୍ ଜେଲରେ କାଟିବାକୁ ପଡିଥିଲା । ଏହାର ଦୁଇଦିନ ପରେ ଅର୍ଥାତ୍ ଏପ୍ରିଲ ୭ ତାରିଖରେ ସେନ୍ସସ କୋର୍ଟ ତରଫରୁ ସଲମାନଙ୍କୁ ଜାମିନ୍ ମିଳିଥିଲା ।