ସୁଲତାନଙ୍କ ମୁକୁଳିବା ନେଇ ବଢିଲା ସସପେନ୍ସ ! ସଲମାନଙ୍କ ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କ ବଦଳି ! ଆଜି ହୋଇଛି ଦିନଧାର୍ଯ୍ୟ

29

କନକ ବ୍ୟୁରୋ: ସଲମାନ ଖାନଙ୍କ ଜାମିନ୍ ନେଇ ଅନିଶ୍ଚିତତା । ସଲମାନଙ୍କ କେସ୍ ଶୁଣାଣି କରୁଥିବା ଜଜ ରବୀନ୍ଦ୍ର କୁମାର ଜୋଶୀଙ୍କ ବଦଳି ହୋଇଯାଇଛି । ରବୀନ୍ଦ୍ର କୁମାରଙ୍କୁ ସିରୋହି କୋର୍ଟକୁ ବଦଳି କରାଯାଇଛି । ତାଙ୍କ ଜାଗାରେ ଚନ୍ଦ୍ର କୁମାର ସୋନାଗ୍ରା ଦାୟିତ୍ୱ ନେବାର ଅଛି । ରାଜସ୍ଥାନ ହାଇକୋର୍ଟଙ୍କ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଚନ୍ଦ୍ର କୁମାର ଆଜି ଦାୟିତ୍ୱ ଗ୍ରହଣ କରିବେ କି ନାହିଁ ସେ ନେଇ ସ୍ପଷ୍ଟ ହୋଇ ନାହିଁ । ତେଣୁ ସଲମାନଙ୍କ ଆଜିର ଶୁଣାଣି ନେଇ ଅନିଶ୍ଚିତତା ଦେଖାଦେଇଛି । ଯଦି ଚନ୍ଦ୍ରକୁମାର ଦାୟିତ୍ୱ ନେବାରେ ବିଳମ୍ବ ହୁଏ, ତାହେଲେ ସଲମାନଙ୍କ ଜାମିନ୍ ନେଇ ଶୁଣାଣିରେ ବିଳମ୍ବ ହୋଇପାରେ ।

ଆଇନ ବିଶେଷଜ୍ଞଙ୍କ ମତରେ, ଯଦି ନୂଆ ଜଜ୍ ଆଜି ଦାୟିତ୍ୱ ନନିଅନ୍ତି ସଲମାନଙ୍କୁ ଶନିବାର ଓ ରବିବାର ମଧ୍ୟ ଜେଲରେ କଟାଇବାକୁ ପଡ଼ିପାରେ । ଏହାଛଡ଼ା ଜଜ୍ ନଥିବା କାରଣ ଦର୍ଶାଇ ଏହି ଜାମିନ୍ ଆବେଦନର ଶୁଣାଣିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରାଯାଇପାରେ । ଯୋଧପୁର ସେଂଟ୍ରାଲ ଜେଲରେ ସଲମାନ ୨ ରାତି କଟାଇ ସାରିଲେଣି । ୧୯୯୮ କସ୍ତୁରୀ ମୃଗ ଶୀକାର ମାମଲାରେ ଗୁରୁବାର ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯୋଧପୁର କୋଟ୍ ତାଂକୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ରାୟ ଶୁଣାଇଥିଲେ । ଏହି ମାମଲାର ଅନ୍ୟ ୪ ଜଣ ସୈଫଅଲ୍ଲୀ ଖାନ୍, ସୋନାଲି ବେନ୍ଦ୍ରେ, ତବୁ ଓ ନୀଲମଂକୁ କୋର୍ଟ ଦୋଷମୁକ୍ତ କରିଥିଲେ ।

ଅନ୍ୟପଟେ, କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀସାବ୍ୟସ୍ତ ହୋଇ ସଲମାନ ଖାନ ଦୁଇଦିନ ହେଲା ଜେଲରେ ଅଛନ୍ତି । ଲଗାତାର ଦ୍ୱିତୀୟ ଦିନ ଲାଗି ତାଙ୍କୁ ରାତି କାଟିବାକୁ ପଡିଛି । ତେବେ ଶୁକ୍ରବାରଦିନ କେମିତି ଥିଲା ସଲମାନଙ୍କ ଦିନ ଆସନ୍ତୁ ଜାଣିବା । ସଲମାନ ଶୁକ୍ରବାରଦିନ ଦିନସାରା ଜେଲ କୋଠରୀରେ ଆରାମ କରିଥିଲେ । ସକାଳୁ ସେ ଜଳଖିଆ କରିନଥିଲେ । କିନ୍ତୁ ମଧ୍ୟାହ୍ନ ଭୋଜନରେ ରୁଟି , ଡାଲି ଓ ତରକାରୀ ଖାଇଥିଲେ । ଖାଇବା ପରେ ସେ ବିଶ୍ରାମ କରିଥିଲେ । ଏହାପରେ ବ୍ୟାୟମ କରି ଚା ପିଇଥିଲେ । ସୁଲୁମିଆଁକୁ ସାଧାରଣ କଏଦୀଙ୍କ ଭଳି ଖାଇବାକୁ ଦିଆଯାଉଛି । କାଲି ରାତିରେ ସେ ରୁଟି, ଡାଲି ଓ ତରକାରୀ ଖାଇଥିଲେ । ଗୁରୁବାର ରାତିରେ ବି ତାଙ୍କୁ ଖାଇବାକୁ ଦିଆଯାଇଥିଲା , କିନ୍ତୁ ସେ ଖାଇବାକୁ ମନାକରିଦେଇଥିଲେ । ।