ଆଜି ହେବ ସଲମାନଙ୍କ ଜାମିନ ଆବେଦନର ଶୁଣାଣି ! କୃଷ୍ଣସାର ମୃଗ ଶିକାର ମାମଲାରେ ୫ବର୍ଷ ଜେଲ ସହ ୧୦ ହଜାର ଜରିମାନା

62

ପପୁଲାର ବଲିଉଡ ଆକ୍ଟର ସଲମାନ ଖାନା ପୁଣି ୫ବର୍ଷ ପାଇଁ ଜେଲ ଯିବା ପରେ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ଏହି ଷ୍ଟାର ସେଲିବ୍ରିଟିଙ୍କ ଜେଲ ରହଣୀ କେମିତି ହେବ । ସାଧାରଣ କଏଦୀଙ୍କ ଭଳି ସେ ଯୋଧପୁର ଜେଲରେ ରହିବେ ନା ତାଙ୍କପାଇଁ କିଛି ଖାସ ବନ୍ଦୋବସ୍ତ ହେବ । ହେଲେ ଯୋଧପୁର ଜେଲ କର୍ତୃପକ୍ଷଙ୍କ ସୂଚନା ଅନୁସାରେ, କଏଦୀ ନମ୍ବର-୧୦୬ ଅର୍ଥାତ ବଲିଉଡ ଭାଇଜାନ ସଲମାନ ଖାନ ଜେଲରେ ଅନ୍ୟ ସାଧାରଣ କଏଦୀଙ୍କ ଭଳି ରହିବେ । ଏବେ ସେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ପଡୋଷୀ । ଅର୍ଥାତ ଦୁଷ୍କର୍ମ ଅଭିଯୋଗରେ ଗିରଫ ବାବା ଆଶାରାମ ବାପୁ ରହୁଥିବା ୱାର୍ଡର ପାଖ ୱାର୍ଡରେ ରହୁଛନ୍ତି ଅଭିନେତା ସଲମାନ ଖାନ । ଯୋଧପୁର କେନ୍ଦ୍ରୀୟ କାରାଗାରର ୨ ନମ୍ବର ୱାର୍ଡରେ ରହୁଛନ୍ତି ସଲମାନ । ଯାହାର ଲମ୍ବ ୧୦ଫୁଟ ଏବଂ ଓସାର ୧୦ଫୁଟ । ଏଠାରେ ତାଙ୍କୁ ଚଟାଣରେ ଶୋଇବାକୁ ପଡିବ ଓ ୪୦ ଡିଗ୍ରୀ ଖରାକୁ ମୁକାବିଲା କରିବା ପାଇଁ କେବଳ ଗୋଟିଏ ସିଲିଂ ଫ୍ୟାନ ଯୋଗାଇ ଦିଆଯିବ । ଗୁରୁବାର ବିରଳ ଜଙ୍ଗଲି ଜନ୍ତୁ ହତ୍ୟା ମାମଲାରେ ବଲିଉଡ ଟାଇଗରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସିଜେଏମ କୋର୍ଟ । ୧୯୯୮ରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ୫ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ । ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ । ତେବେ ସଲମାନଙ୍କୁ ବେଲ ମିଳିବ ନା ଜେଲ ତା ଉପରେ ସମସ୍ତଙ୍କ ମଜର ରହିଛି ।

ମିଳିଥିବା ସୂଚନା ଅନୁସାରେ ଅଭିନେତା ସଲମାନ ଖାନ ଯେତେବେଳେ ଯୋଧପୁର ସେଂଟ୍ରାଲ ଜେଲରେ ପହଂଚିଲେ କେତେକ ଯୁବ ହୋମଗାର୍ଡ ତାଙ୍କୁ ଘେରିଯାଇ ଅଟୋଗ୍ରାଫ ଓ ସେଲଫି ନେବାକୁ ଚାହିଁଥିଲେ । ହେଲେ ଏହାକୁ ଅତି ନମ୍ରତାର ସହ ହାତଯୋଡି ଅସ୍ୱୀକାର କରିଥିଲେ ସଲମାନ ଖାନ । ଜେଲ କର୍ତୃପକ୍ଷ ତାଙ୍କୁ ମାନସିକ ଚାପରେ ଅଛନ୍ତି କି ବୋଲି ପ୍ରଶ୍ନ କରିବା ସହ କିଛି ଔଷଧ ଆବଶ୍ୟକ କରୁଛନ୍ତି କି ବୋଲି ପଚାରିଥିଲେ । ହେଲେ ସଲମାନ କହିଥିଲେ ସେ ଠିକ ଅଛନ୍ତି ଏବଂ ଏହି ଜେଲରେ ପୂର୍ବରୁ ଅଛନ୍ତି । ତେବେ ଜେଲ ଭିତରେ ନିଜର ନାଇଟ ଡ୍ରେସ ପିନ୍ଧିବାକୁ ଇଚ୍ଛି କରିଥିଲେ ସଲମାନ । ଏଥିପାଇଁ ତାଙ୍କୁ ଅନୁମତି ଦିଆଯାଇଥିଲା । ସେହିପରି ଜେଲରେ ଅନ୍ୟ ସାଧାରଣ କଏଦୀଙ୍କ ଭଳି ଖାଦ୍ୟ ଖାଇଛନ୍ତି ଭାଇଜାନ୍ । ଚଣା ଡାଲି, ବନ୍ଧାକୋବି ଓ ରୁଟି ଖାଇଛନ୍ତି ସଲମାନ ଖାନ । ଅଭିନେତା ସଲମାନ ଖାନଙ୍କୁ ଏକୁଟିଆ ଏକ କୋଠରୀରେ ରଖିବାକୁ ଜେଲ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ସେହିପରି ୪୦ ଡିଗ୍ରୀ ଖରାରେ ତାଙ୍କୁ କେବଳ ସିଲିଂ ଫ୍ୟାନ ଯୋଗାଇ ଦିଆଯିବ । ଯୋଧପୁର ସେଂଟ୍ରାଲ ଜେଲରେ ରାଜସମୁନ୍ଦର ହେଟ କିଲର ସମ୍ଭୁଲାଲ ରାଇଗର, ଭଉଁରି ଦେବୀ ହତ୍ୟାକାଣ୍ଡରେ ଦୋଷୀ ତଥା ପୂର୍ବତନ କଂଗ୍ରେସ ବିଧାୟକ ମଲଖାନ ବିଷ୍ଣୋଇ ଓ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ସହ ରହିବେ ସଲମାନ ଖାନ ।