ସଚିନ୍ ଆସିଲେ ମ୍ୟାଚ୍ ଦେଖିଲେ, ସଲମାନ ଆସିଲେ ସେଲଫି ନେଲେ! ଜାଣନ୍ତୁ ଏହି ଦୁଇ ସୁପରଷ୍ଟାରଙ୍କୁ ଓଡିଶା ଆଣିବା ପଛରେ କେଉଁ ଓଡିଆ ପୁଅଙ୍କର ରହିଛି ହାତ ?  

2,452

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଏକାଠି ହୋଇଛନ୍ତି କ୍ରିକେଟ ଓ ରାଜନୀତି ଜଗତର ଦୁଇ ବେତାଜ ବାଦଶାହା ।  କ୍ରିକେଟ ଜଗତର ସୁପରଷ୍ଟାର ସଚିନ୍ ତେନ୍ଦୁଲକର ଓ ଓଡିଶା ରାଜନୀତିର ସୁପରଷ୍ଟାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ପାଇଛନ୍ତି ଦର୍ଶକ । ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ଯୋଗ ଦେବା ପାଇଁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛନ୍ତି କ୍ରିକେଟ ଜଗତର ଭଗବାନ ସଚିନ ତେନ୍ଦୁଲକର । ଆଉ ସଚିନଙ୍କୁ ପାଖରେ ପାଇ ଦର୍ଶକ ମଧ୍ୟ ବେଶ ଖୁସି । ଉଦଯାପନୀ ଉତ୍ସବରେ ସଚିନଙ୍କ ଏଣ୍ଟ୍ରି ଫାଇନାଲ ମ୍ୟାଚରେ ଚାର ଚାନ୍ଦ ଲଗାଇ ଦେଇଛି । ହକି ଖେଳର ମଜା ନେବା ସହ ସଚିନ ସଚିନ ନାରାରେ ପ୍ରକମ୍ପିତ ହୋଇ ଉଠିଛି ପୂରା ଷ୍ଟାଡିୟମ । ଆଉ ସଚିନ ମଧ୍ୟ ଦର୍ଶକଙ୍କ ଏଭଳି ଜୋସ ଦେଖି ପ୍ରଂଶସା କରିବାକୁ ପଛାଇନାହାନ୍ତି । ସେଲଫି ନେବା ସହ ଏଭଳି ଆୟୋଜନ ପାଇଁ ନବୀନ ସରକାରଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ସଚିନ୍ ।

ଏହାପୂର୍ବରୁ ଉଦଘାଟନୀ ଉତ୍ସବ ଭଳି ଉଦଯାପନୀ ଉତ୍ସବ ମଧ୍ୟ ରଙ୍ଗାରଙ୍ଗ ହେବ ବୋଲି ଶୁଣାଯାଉଥିଲା । ବଲିଉଡ ଓ କ୍ରିକେଟ ଜଗତର ବଡ ବଡ ଷ୍ଟାରଙ୍କୁ ଫାଇନାଲ ମ୍ୟାଚରେ କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଯେଉଁଥିପାଇଁ ଦର୍ଶକ ଫାଇନାଲ ମ୍ୟାଚକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ । କିନ୍ତୁ ଉଦଘାଟନୀ ଉତ୍ସବ ଭଳି ଉଦଯାପନୀ ଉତ୍ସବକୁ ନେଇ କୌଣସି ବିବାଦ ଛିଡା ନ ହେଉ ସେଥିପାଇଁ ଏହାକୁ ନିରାଡମ୍ବର କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି କୌଣସି ଷ୍ଟାର ସେଲିବ୍ରିଟିଙ୍କୁ ଉଦଯାପନୀ ଉତ୍ସବରେ ଦେଖିବାକୁ ମିଳିବ ନାହିଁ ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଓଡିଶା ଆସିବା ନେଇ ସଚିନ୍ ଟ୍ୱିଟ୍ କରି ସୂଚନା ଦେବା ସହ ବେରଙ୍ଗ ହୋଇ ଆସୁଥିବା ଉଦଯାପନୀ ଉତ୍ସବରେ ରଙ୍ଗ ଭରି ଦେଇଛନ୍ତି ।

ଏହାପୂର୍ବରୁ କଟକରେ ହୋଇଥିବା ଉଦଘାଟନୀ ଉତ୍ସବ ସେଲିବ୍ରେସନରେ କିଏ ଯୋଗ ଦେବେ ତାହା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନଥିଲା । ସଲମାନ, ପ୍ରଭାସଙ୍କ ଭଳି ବଡ ବଡ ସୁପରଷ୍ଟାର ଏହି ଉତ୍ସବରେ ଯୋଗ ଦେବେ କୁହାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନଥିଲା । ଶେଷ ପର୍ଯ୍ୟନ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ସଂସ୍ଥା ସଲମାନଙ୍କୁ ଆଣିବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ ଆଣିବା ସମ୍ଭବପର ହେଉନଥିଲା । କିନ୍ତୁ ଏହି ଉତ୍ସବର ଗୋଟିଏ ଦିନ ପୂର୍ବରୁ ସଲମାନ କଟକ ଆସୁଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସଲମାନ ପ୍ରଥମଥର ପାଇଁ ଓଡିଶା ଆସିବା ସହ ବାରବାଟୀରେ ଦେଖାଇଥିଲେ ଜଲୱା ।  ଓଡିଶା ଓ କଟକକୁ ଓଡିଆରେ ପ୍ରଂଶସା କରିବା ସହ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ ସଲମାନ ।

ତେବେ ପ୍ରଥମରୁ ଏହି ଦୁଇ ଷ୍ଟାରକୁ ହକି ବିଶ୍ୱକପରେ ଯୋଗଦେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବପର ହୋଇନଥିଲା । ଆଉ ଏଭଳି ସମୟରେ ଶେଷ ମୁହୂର୍ତ୍ତରେ ନବୀନଙ୍କ ପାଇଁ ଟ୍ରମ୍ପକାର୍ଡ ସାଜି ଉଭା ହୋଇଥିଲେ ସଜ ସଜ ବିଜେଡିରେ ଯୋଗ ଦେଇଥିବା ଅରୂପ ପଟ୍ଟନାୟକ । ସଚିନ ଓ ସଲମାନଙ୍କୁ ଓଡିଶା ଆଣିବା ପଛରେ ଅରୂପ ପଟ୍ଟନାୟକଙ୍କ ହିଁ ମୁଖ୍ୟ ପୁରୋଧା ଏକଥା ଏବେ ଚର୍ଚ୍ଚା ହେଉଛି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଥିବା ଅରୂପ ପଟ୍ଟନାୟକଙ୍କ ନିବେଦନ କ୍ରମେ ସଚିନ ଓ ସଲମାନ ଶେଷ ମୂହୂର୍ତ୍ତରେ ଓଡିଶା ଆସିବା ନେଇ ହଁ ଭରିଥିବା ଚର୍ଚ୍ଚା ହେଉଛି । କାରଣ ମୁମ୍ବାଇର ପୋଲିସ କମିଶନର ଥିବା ବେଳେ ସଚିନ ଓ ସଲମାନଙ୍କ ସହ ଅରୂପଙ୍କର ବେଶ ଭଲ ସର୍ମ୍ପକ ରହିଥିଲା । ଏପରିକି ଅନେକ ସମୟରେ ନାଁ ନନେଇ ଅରୂପଙ୍କର ବେଶ ପ୍ରଂଶସା କରିଛନ୍ତି ସଲମାନ । ଏପରିକି ସଲମାନ ଯେଉଁଦିନ ଓଡିଶା ଆସିଥିଲେ ସେହିଦିନ ମଧ୍ୟ ଅରୂପଙ୍କୁ ତାଙ୍କ ପାଖେ ପାଖେ ଦେଖିବାକୁ ମିଳିଥିଲା ।

ସଚିନ ଓ ସଲମାନଙ୍କ ସହ ଅରୂପଙ୍କର ଥିବା ସେହି ସର୍ମ୍ପକ ଏବେ କାମରେ ଆସିଛି । ଯେତେବେଳେ ଉଦଯାପନୀ ଉତ୍ସବରେ କୌଣସି ଷ୍ଟାର ଆସିବେନି ବୋଲି ଚର୍ଚ୍ଚା ହେଉଥିଲା ସେତେବେଳେ ସଚିନଙ୍କୁ ଆଣିବାକୁ ଆରମ୍ଭ ହୋଇଥିଲା ପ୍ରୟାସ । ଆଉ ଏଥିପାଇଁ ଅରୂପଙ୍କୁ ଖୋଜାପଡିଥିଲା । ଆଉ ଅରୂପଙ୍କ ନିବେଦନ ପରେ ସଚିନ ଓଡିଶା ଆସିବା ନେଇ ହଁ ଭରିଥିବା ଚର୍ଚ୍ଚା ହେଉଛି ।

ଏହାଛଡା ହକି ବିଶ୍ୱକପ ଭଳି ବିଶ୍ୱସ୍ତରୀୟ କ୍ରୀଡାର ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ରାଜ୍ୟବାସୀ । ଏହି ବିଶ୍ୱକପକୁ ସଫଳତାର ସହ ଆୟୋଜନ କରିବା ଦ୍ୱାରା ପୂରା ବିଶ୍ୱରେ ଓଡିଶା ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଆଉ ବିଶ୍ୱକପ ହକି ଭଳି ଏକ ଚ୍ୟାଲେଞ୍ଜିଂ ଇଭେଣ୍ଟକୁ ସଫଳ କରିବା ପଛର ନାୟକ ଭାବେ ଉଭା ହୋଇଛନ୍ତି ନବୀନ ।