୯ ଦିନ ଜୀବନ ସହ ସଂଗ୍ରାମ ପରେ ଚାଲିଗଲା ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ଜୀବନ ! ମୁଖ୍ୟମନ୍ତ୍ରୀ କହିଲେ, ଏଭଳି ଘଟଣା ତାଙ୍କୁ କ୍ରୋଧାନ୍ୱିତ କରିଛି

21

କନକ ବ୍ୟୁରୋ : ଓଡିଶାର ସାଲେପୁରରେ ୬ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରି ମୃତ୍ୟୁମୁଖକୁ ଠେଲି ଦେବା ଘଟଣା ପରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କହିଛନ୍ତି, ଏଭଳି ସମ୍ବେଦନଶୀଳ ମାମଲାକୁ କେମିତି ରୋକାଯିବ, ସେନେଇ ସରକାରଙ୍କ ଚିନ୍ତା ନାହିଁ । ସେପଟେ ମୁଖ୍ୟମନ୍ତ୍ରୀ ଉତର ରଖି କହିଛନ୍ତି, ଏହି ଘଟଣା ତାଙ୍କୁ କ୍ରୋଧାନ୍ୱିତ କରିଛି ।

Rape୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଜୀବନ ହାରିଦେଇଛନ୍ତି ସାଲେପୁର ଦୁଷ୍କର୍ମ ପୀଡିତା । ରାଜ୍ୟରେ ବଢିଚାଲିଥିବା ନାବାଳିକା ବଳାକ୍ରାର ମାମଲା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଗାଡି ଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଆଉ ଏହାରି ଭିତରେ ଗୃହରେ ଉତର ରଖି ପୀଡିତାଙ୍କ ମୃତ୍ୟୁରେ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ବିଧାନସଭା ଓ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ପରେ ସାଲେପୁରର ୬ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇ ଜୀବନ ହାରିବା ଘଟଣା ସାରା ରାଜ୍ୟକୁ ବିଚଳିତ କରିଦେଇଛି । ରାଜ୍ୟ ସରକାର ମଧ୍ୟ ଏହି ଘଟଣାକୁ ସହଜରେ ହଜମ କରିପାରି ନାହାନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ଏହି ମର୍ମସ୍ପର୍ଶୀ ଘଟଣା ତାଙ୍କୁ କ୍ରୋଧାନ୍ୱିତ କରିଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ସମବେଦନା ଓ ପ୍ରତିଶ୍ରୁତି ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢିଚାଲିଥିବା ଅତ୍ୟାଚାରକୁ ରୋକିବା ଦିଗରେ ସରକାର କି ପଦକ୍ଷେପ ନେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ସେପଟେ ବିଜେପି ମଧ୍ୟ ସରକାରଙ୍କୁ ସମ୍ବେଦନହୀନ କହି ଘେରିଛି । ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ମଧ୍ୟ ସରକାରୀ ଅଧିକାରୀ କିମ୍ବା ନେତା, ମନ୍ତ୍ରୀ ପୀଡିତାଙ୍କ ଘରକୁ ନଯିବା, ସମବେଦନା ନଜଣାଇବାକୁ ପ୍ରସଙ୍ଗ କରିଛି ବିଜେପି । ନଅଦିନ ଧରି ହସ୍ପିଟାଲ ବେଡରେ ସାଲେପୁର ନାବାଳିକା ମୃତ୍ୟୁସହ ସଂଗ୍ରାମ କରି ହାରିଯିବା ପରେ ଜୋରଦାର ହୋଇଛି ରାଜନୀତି । ଗୋଟିଏ ପଟେ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଏପଟେ ପଡୀତାଙ୍କ ପରିବାରକୁ ଭେଟିଛି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଆଉ ସେପଟେ ଭୁବନେଶ୍ୱର ରାମ ମନ୍ଦିର ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରି ପ୍ରତିବାଦ ଜଣାଇଛି ବିଜେପି ।

ଅନ୍ୟପଟେ ସାଲେପୁର ଯାଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ରାଜନୈତିକ ନେତା । ଆଜି କଂଗ୍ରେସ ପ୍ରତିନିଧିଙ୍କ ଗସ୍ତ ପରେ ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ପୀଡିତାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ସାଲେପୁର ଯାଇ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଗତ ୨୧ ତାରିଖରେ ସାଲେପୁରର ଜଗନ୍ନାଥପୁର ଅଂଚଳରେ ଏକ ସ୍କୁଲ ଗଳିରୁ ଅନେକ ଖୋଜାଖୋଜି ପରେ ୬ ବର୍ଷର କୁନି ଝିଅର କ୍ଷତାକ୍ତ ଶରୀର ମିଳିଥିଲା । ପରେ ତାକୁ ହସପିଟାଲରେ ଭର୍ତି କରାଯାଇ ଚିକିତ୍ସା ଚାଲିଥିଲା । ହେଲେ ୯ ଦିନର ଚିକିତ୍ସା ପରେ କୁନି ଝିଅଟି ଆଖି ବୁଜିଦେଲା ।