ମାଡ ପରେ ଜିଆରଏସ୍ କର୍ମଚାରୀଙ୍କ ଦରମା ବଢ଼ିଲା ! ମୂଳ ଦରମାଠାରୁ ୨ ହଜାର ଟଙ୍କା ଅଧିକ ବଢାଇଲେ ରାଜ୍ୟ ସରକାର

33

କନକ ବ୍ୟୁରୋ : ଜିଆରଏସଙ୍କୁ ମାଡ ପରେ ଦରମା ବଢାଇଲେ ରାଜ୍ୟ ସରକାର । ଜିଆରଏସଙ୍କ ମୂଳ ଦରମାଠାରୁ ୨ ହଜାର ଟଙ୍କା ଅଧିକ ବଢାଇଲେ ରାଜ୍ୟ ସରକାର । ତାହା ସହ ବିଭିନ୍ନ ସ୍କିମ ଆଧାରରେ ସହାୟତା ରାଶି ୧୮ଶହ ଟଙ୍କା ବଢାଯାଇଛି । ଗ୍ରାମ ରୋଜଗାର ସେବକ ମୋଟ ୮ ହଜାର ୮ଶହ ଟଙ୍କା ପାଇବେ । ପୂର୍ବରୁ ଜିଆରଏସ ବହୁ ଦିନ ଧରି ଆନ୍ଦୋଳନ କରିଆସୁଥିଲେ । ପୂର୍ବରୁ ଅନକେ ଥର ରାଜ୍ୟ ସରକାର ସେମାନଙ୍କ ସଂଘ ସହ ଆଲୋଚନା କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଜିଆରଏସଙ୍କ ଦରମା ବୃଦ୍ଧି ହୋଇଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଧର୍ମେନ୍ଦ୍ର ଏମାନଙ୍କୁ ଆନ୍ଦୋଳନ ପାଇଁ ଉସୁକାଉଛନ୍ତି ।

ସୂଚନାଯୋଗ୍ୟ ଦୀର୍ଘ ଦିନ ଧରି ଅସ୍ଥାୟୀ ଭାବେ କାର୍ଯ୍ୟରତ ଥିବା ନିଖିଳ ଓଡ଼ିଶା ଗ୍ରାମ୍ୟ ରୋଜଗାର ସେବକ ସଂଘର କର୍ମୀମାନେ ଶୁକ୍ରବାର ୫ଦଫା ଦାବିରେ ମାଷ୍ଟରକ୍ୟାଣ୍ଟିନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ । ପୁଲିସ ଅଚାନକ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବାରୁ କିଛି ସମୟ ପାଇଁ ମାଷ୍ଟରକ୍ୟାଣ୍ଟିନ୍ରୁ ଲୋୟର ପିଏମ୍ଜି ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା । ଲାଠି ମାଡ଼ରେ ପ୍ରାୟ ୨୦ଜଣ କର୍ମୀ ଆହତ ହୋଇଥିବା ବେଳେ ପୁଲିସ ୫୦ରୁ ଅଧିକ କର୍ମୀଙ୍କୁ ଗିରଫ କରିଥିଲା ।

ଗ୍ରାମ୍ୟ ରୋଜଗାର ସେବକମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମାକୁ ପେ ଓ ଗ୍ରେଡ୍ ପେ ଥାଇ ୯ହଜାର ଟଙ୍କାକୁ ବୃଦ୍ଧି କରିବା, ଖାଲି ପଡ଼ିଥିବା ନିର୍ବାହୀ ଅଧିକାରୀ ପଦବିରେ ଶତପ୍ରତିଶତ ନିଯୁକ୍ତି, ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ଆକସ୍ମିକ ବିୟୋଗ ଓ ଅକର୍ମଣ୍ୟ ପାଇଁ ସରକାରୀ ଅନୁକମ୍ପା ରାଶି ପ୍ରଦାନ କରିବା ଆଦି ଦାବିରେ ସଂଘର ହଜାର ହଜାର କର୍ମୀ ଆନ୍ଦୋଳନରେ ସାମିଲ ଥିଲେ ।

 

 

 

 

 

 

 

 

ତେବେ ଏନେଇ ଅନେକ ରାଜନୀତି ମଧ୍ୟ ହୋଇଥିଲା । ଆନ୍ଦୋଳନ ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ରହିଛି ବୋଲି ବିଜେଡି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ଆଜି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ମହାରଥୀ କହିଛନ୍ତି, ଜିଆରଏସଙ୍କ ଆନ୍ଦୋଳନ ପଛରେ ଧର୍ମେନ୍ଦ୍ର ଅଛନ୍ତି । ଧର୍ମେନ୍ଦ୍ର ଆନ୍ଦୋଳନ ପାଇଁ ଉସୁକାଉଛନ୍ତି । ସେ କେନ୍ଦ୍ର ସରକାରଙ୍କୁ କୁହନ୍ତୁ ଚାକିରି ସ୍ଥାୟୀ କରିବେ । ଦିଲ୍ଲୀ ଚାଲ ସାଙ୍ଗ ହୋଇ ଲଢ଼ିବା ବୋଲି ମହାରଥୀ କହିଛନ୍ତି ।