ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇଥିବା ସ୍ୱୀକାର କଲା ହିଜବୁଲ ମୁଜାହିଦ୍ଦୀନ ମୁଖିଆ ସୈୟଦ ସଲାଉଦ୍ଦୀନ

21

କନକ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ତଥା ହିଜବୁଲ ମୁଜାହିଦ୍ଦୀନ ମୁଖିଆ ସୈୟଦ ସଲାଉଦ୍ଦୀନ ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇଥିବା ସ୍ୱୀକାର କରିଛି । ସଲାଉଦ୍ଦୀନର ଏହି ସ୍ୱୀକାର ପରେ ଭାରତର ଦାବି ପ୍ରମାଣସିଦ୍ଧ ହୋଇଛି । ଭାରତରେ ଆତଙ୍କବାଦୀ ହମଲା ପାଇଁ ପାକିସ୍ତାନ ମାଟିକୁ ବ୍ୟବହାର କରାଯାଉଥିବା ବହୁବାର ଭାରତ ଅଭିଯୋଗ କରିଆସିଛି । ସଲାଉଦ୍ଦୀନ ସ୍ୱୀକାର କରି ପାକିସ୍ତାନର ପୋଲ ଖୋଲି ଦେଇଛି ।

ପାକିସ୍ତାନର ଗଣମାଧ୍ୟମ ‘ଜିଓ ଟିଭି’କୁ ସାକ୍ଷାତକାର ଦେଇ ସଲାଉଦ୍ଦୀନ କହିଛି, ଏବେ ହିଜବୁଲ ମୁଜାହିଦ୍ଦୀନର ଟାର୍ଗେଟରେ ଅଛନ୍ତି ଇଣ୍ଡିଆନ ଆର୍ମୀ । ଭାରତରେ ହିଜବୁଲ୍ କରିଥିବା ଆକ୍ରମଣ ଓ ଆଗାମୀ ଆକ୍ରମଣରେ କେବଳ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇଛି । ଏହାଛଡା ସଲାଉଦ୍ଦୀନ ଦାବି କରିଛି ପାକିସ୍ତାନରେ ବସି ଭାରତର ଯେକୌଣସି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରାଇବାକୁ ସେ ସକ୍ଷମ ।

ଆମେରିକା ସୈୟଦ ସଲାଉଦ୍ଦୀନକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିଛି । ଏନେଇ ସେ ରବିବାର ମୁଜାଫରାବାଦରେ କହିଥିଲା, ଏହା ଆମେରିକାର ମୂର୍ଖତାପୂର୍ଣ୍ଣ ପଦକ୍ଷେପ । କାରଣ ଆମେ ଆତଙ୍କବାଦୀ ନୋହୁଁ,କଶ୍ମୀର ସ୍ୱାଧିନତା ପାଇଁ ଆମେ ଲଢୁଛୁ ଓ ଏହି ଲଢେଇ ଜାରି ରହିବ ବୋଲି ସଲାଉଦ୍ଦୀନ କହିଥିଲା ।