ଶୈଳେନ୍ଦ୍ରଙ୍କର କମ୍ ବୟସରେ ଉନ୍ନତ ଚିନ୍ତା ! ବାଲ୍ୟବିବାହ ଓ ଶିଶୁ ଶ୍ରମିକ ରୋକିବାରେ ଉଠାଇଛନ୍ତି ପଦକ୍ଷେପ

68

କୁହାଯାଏ ଯାହାର ମନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ଥାଏ । ବୟସ ବି ସେଠି ହାର୍ ମାନେ । ଯାହା ଅନ୍ୟମାନଙ୍କ ପାଇଁ ଭାବନାର ବାହାରେ ଥାଏ । ଏମିତି କିଛି କାମ କିଛି ବ୍ୟକ୍ତି କରିଥାନ୍ତି । ଏମିତି ଜଣେ ହେଲେ ୧୭ ବର୍ଷିୟ ଶୈଳେନ୍ଦ୍ର ସିଂହ । ନିଜର ବୟସ ତୁଳନାରେ ସେ କିନ୍ତୁ କରୁଛନ୍ତି ମହତ କାର୍ଯ୍ୟ । ରାଜସ୍ଥାନର ବିଜଲପୁର ଗାଁରେ ରହୁଥିବା ଶୈଳେନ୍ଦ୍ର ସମାଜର ଉନ୍ନତିରେ ବର୍ତ୍ତି । ବାଲ୍ୟ ବିବାହ ବିରୁଦ୍ଧରେ ଲଢେଇ କରି ଆଜି ପାଲଟିଛନ୍ତି ଚର୍ଚ୍ଚିତ ଚେହେରା । ଦୃଢ ନିଷ୍ଠା ଓ ଉତ୍ସାହର ସହ ଆଗେଇ ଚାଲିଥିବା ଶୈଳେନ୍ଦ୍ରଙ୍କ ଯୋଗୁଁ ତାଙ୍କ ଗାଁ ଓ ଆଖପାଖର ଗାଁରେ ବାଲ୍ୟ ବିବାହ ଉପରେ ରୋକ୍ ଲଗାଯାଇଛି । ଆଉ ଏଥିପାଇଁ ଶୈଳେନ୍ଦ୍ର ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।

ଶୈଳେନ୍ଦ୍ରଙ୍କ ବାପା ଜଣେ ସ୍କୁଲ ଶିକ୍ଷକ । ତେଣୁ ଗାଁର ଅନ୍ୟ ପିଲାମାନଙ୍କ ପରି ତାଙ୍କୁ ପାଠପଢା ଛାଡି କାମ କରିବାକୁ ପଡୁନଥିଲା । ସଂପୂର୍ଣ୍ଣ ଭାବେ ସୁଯୋଗ ଦିଆଯାଇଥିଲା ତାଙ୍କୁ ପାଠପଢିବାକୁ । ଶୈଳେନ୍ଦ୍ରଙ୍କ ଗାଁରେ ବାଲ୍ୟ ବିବାହ ପ୍ରଥା ଖୁବ୍ ପ୍ରଚଳିତ ଥିଲା । ପରିବାରର ବଡମାନଙ୍କର ଏହି ନିଷ୍ପତ୍ତିକୁ ମାନିବାକୁ ଏକପ୍ରକାର ବାଧ୍ୟ ଥିଲେ ପ୍ରତ୍ୟେକ ପିଲା । ଶୈଳେନ୍ଦ୍ର କମ୍ ବୟସର ଥିଲା ବେଳେ ଏହାକୁ ଏକ ରୀତି ବୋଲି ଭାବି ନେଇଥିଲେ । ଏବଂ ତାଙ୍କ ସହ ଏପରି ଘଟିବ ବୋଲି ମଧ୍ୟ ସ୍ଥିର କରିନେଇଥିଲେ । ମାତ୍ର ବୟସ ବଢିବା ସହ ତାଙ୍କ ଧାରଣା ବଦଳିଥିଲା । ସେ ବୁଝିବାକୁ ଲାଗିଥିଲେ କି ଯେଉଁ ପ୍ରଥା ବର୍ଷ ବର୍ଷ ଧରି ତାଙ୍କ ଗାଁରେ ଚାଲିଆସୁଛି ତାହା ଆଇନ ବିରୋଧି ବୋଲି । ତାହା ସହ ପିଲାମାନଙ୍କ ନିମନ୍ତେ ବିପଜ୍ଜନକ ବୋଲି । ତାଙ୍କ ଏହି ପରିବର୍ତ୍ତିତ ଚିନ୍ତା ଧାରା ସାହସ ଦେଲା ବର୍ଷ ପୁରୁଣା ଏହି ପ୍ରଥା ବିରୁଦ୍ଧରେ ଲଢିବାର । କେବଳ ତାଙ୍କର ମନୋଭାବ ନୁହେଁ , ଗାଁକୁ ଆସିଥିବା ଏକ ଏନଜିଓର କର୍ମକର୍ତ୍ତାଙ୍କ ଉପଦେଶ ମଧ୍ୟ ତାଙ୍କୁ ଲଢିବାର ପ୍ରେରଣା ଦେଉଥିଲା । ‘ସେଭ୍ ଦ ଚିଲଡ୍ରେନ୍ ’ ନାମରେ ଏହି ସଂସ୍ଥା ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ କାର୍ଯ୍ୟ କରିଥାଏ ।

ଶୈଳେନ୍ଦ୍ରଙ୍କୁ ଏହାର କର୍ମକର୍ତ୍ତାଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । ସେମାନଙ୍କ ସହ ଆଲୋଚନା କରିବାରୁ ଓ ସେମାନେ ଆୟୋଜନ କରୁଥିିବା ସଭାଗୁଡିକରେ ଯୋଗ ଦେଇ ସେ ବୁଝିପାରିଥିଲେ ଶିକ୍ଷା ପିଲାମାନଙ୍କ ଉନ୍ନତି ନିମନ୍ତେ ଏକାନ୍ତ ଆବଶ୍ୟକ ଓ ସମାଜର ବିକାଶ ନିମନ୍ତେ ବାଲ୍ୟ ବିବାହ ଉଚ୍ଛେଦ ମଧ୍ୟ ଆବଶ୍ୟକ । ଏସବୁ ପରେ ଯେତେବେଳେ ପ୍ରଥମକରି ଶୈଳେନ୍ଦ୍ର ଗାଁରେ ହେଉଥିବା ଏକ ବାଲ୍ୟ ବିବାହକୁ ରୋକିବା ପାଇଁ ଯାଇଥିଲେ, ତାଙ୍କୁ ସେଠାରୁ ଘଉଡାଇ ଦିଆଯାଇଥିଲା । ଆଉ ଏହା ମଧ୍ୟ କୁହାଯାଇଥିଲା କି ବୟସାନୁଯାୟୀ ତାଙ୍କର କୌଣସି ଅଧିକାର ନାହିଁ ବଡମାନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାର । ଶୈଳେନ୍ଦ୍ର କିନ୍ତୁ ହାର୍ ମାନିନଥିଲେ । ସଙ୍ଗେ ସଙ୍ଗେ ନିଜର କିଛି ସାଙ୍ଗ ଓ ଏନଜିଓର କର୍ମକର୍ତ୍ତାଙ୍କୁ ଏକାଠି କରି ସେ ବିବାହ ମଣ୍ଡପ ନିକଟରେ ପହଁଚିଥିଲେ । ବାରମ୍ବାର ବୁଝାଇବା ପରେ ବିବାହ ବନ୍ଦ କରାଯାଇଥିଲା । ଏହା ଶୈଳେନ୍ଦ୍ରଙ୍କ ଥିଲା ପ୍ରଥମ ସଫଳତା ।

ଶୈଳେନ୍ଦ୍ରଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କ ପରିବାର ଖୁସି ନଥିଲେ । ଏଥିରୁ ଦୂରେଇ ପାଠପଢାରେ ଧ୍ୟାନ ଦେବାକୁ ଶୈଳେନ୍ଦ୍ରଙ୍କୁ ବୁଝାଇଥିଲେ । ଗାଁର ସରପଂଚ ମଧ୍ୟ ତାଙ୍କର ଏହି ପ୍ରୟାସରେ ଖୁସି ନଥିଲେ । କିନ୍ତୁ ଶୈଳେନ୍ଦ୍ର ଆରମ୍ଭ କରିଥିବା ଲଢେଇକୁ ଅଧାରୁ ବନ୍ଦ କରିବାକୁ ଚାହୁଁନଥିଲେ । ତା ପରଠାରୁ ଆଜିଯାଏ ତାଙ୍କ ପ୍ରୟାସ ଜାରି ରହିଛି ।ଏହି ମଧ୍ୟରେ ସେ ଗାଁରେ ଆୟୋଜିତ ୫ଟି ବାଲ୍ୟବିବାହକୁ ବନ୍ଦ କରିପାରିଛନ୍ତି । କେବଳ ବାଲ୍ୟ ବିବାହ ନୁହେଁ ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ମଧ୍ୟ ସେ ସ୍ୱର ଉଠାଇଛନ୍ତି । ପ୍ରାୟ ୩୦ ରୁ ଅଧିକ ପିଲା କାମ କରିବା ଛାଡି ଶିକ୍ଷା ଗ୍ରହଣର ସୁଯୋଗ ପାଇଛନ୍ତି । ଅନେକ ପିଲା ତାଙ୍କୁ ସହଯୋଗିତାର ହାତ ବଢାଇଛନ୍ତି ।

ଏପରି ମହତ ପଦକ୍ଷେପ ପାଇଁ ଆଜି ପ୍ରଶଂସାର ପାତ୍ର ପାଲଟିଛନ୍ତି ଶୈଳେନ୍ଦ୍ର । ଏହି ସାହସିକତାର ପ୍ରୟାସ ପାଇଁ ତାଙ୍କୁ ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।