ସୋସିଆଲ ମିଡିଆରେ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କ ମୃତ୍ୟୁ ଖବର ଭାଇରାଲ ଘଟଣା । ଜୟୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଭୁଲ ମାଗିଲେ ଭାଇରାଲ କରିଥିବା ଯୁବକ ।

53

କନକ ବ୍ୟୁରୋ : କ୍ଷମା ମାଗିଲେ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ କରିଥିବା ଯୁବକ । ଜୟୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି କ୍ଷମା ମାଗିଛନ୍ତି । ଏଭଳି ଭୁଲ ଜୀବନରେ କେବେ ହେବ ନାହିଁ । ସେ ଜୟୀଙ୍କର ବଡ ଫ୍ୟାନ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ମୃତ୍ୟୁ ଖବର ନେଇ ଫେସବୁକରେ ବର୍ଷିଆନ ଅଭିନେତା ଜୟୀରାମ ସାମଲଙ୍କ ମୃତ୍ୟୁ ନେଇ ଜୋରଦାର ପ୍ରଚାର ହୋଇଥିଲା । ଏହାପରେ ହାସ୍ୟ ଅଭିନେତା ଜୟୀରାମଙ୍କୁ ଭଲ ପାଉଥିବା ଲୋକେ ତାଙ୍କ ଘରକୁ ଫୋନ କରିବାରେ ଲାଗିଥିଲେ । ଏଭଳି ଏକ ଗୁଜବକୁ ନେଇ ବେଶ ହଟହଟା ହୋଇଥିଲେ ଜଇରାମ ସାମଲ ।

ହଠାତ୍ ଗତକାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ଏକ ଫେସବୁକ ପୋଷ୍ଟରେ କୁହାଗଲା, ଓଲିଉଡର ବିଶିଷ୍ଟ ହାସ୍ୟାଭିନେତା ଜୟୀରାମ ସାମଲଙ୍କ ଦେହାନ୍ତ ହୋଇଯାଇଛି । ସୁଦୀପ୍ତ ସାହୁ ନାମକ ଜଣେ ଫେସବୁକ ଆକାଉଂଟଧାରୀ ଫେସବୁକ ନ୍ୟୁଜ ସର୍ଭିସରେ କରିଥିବା ଏହି ପୋଷ୍ଟ ଆଖି ପିଛୁଳାକେ ଅନେକଙ୍କୁ ହତବାକ୍ କରିଦେଇଥିଲା । ଏମିତି କେହି ଜଣେ ଓଡିଆ ବା ଓଲିଉଡକୁ ଭଲ ପାଉଥିବା ବ୍ୟକ୍ତି ନଥିବେ ଯିଏ, ଜୟୀଙ୍କ ହସ ଆଉ କମେଡିକୁ ଭଲପାଉନଥିବେ ।

ତେଣୁ ଫେସବୁକର ଏହି ପୋଷ୍ଟ ସମସ୍ତଙ୍କ ମନରେ ଦୁଃଖ ଭରିଦେଇଥିଲା । ଆଉ ଏହି ପୋଷ୍ଟ ତଳେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଗଲା । ଗଣମାଧ୍ୟମ ପ୍ରତିନିଧି ଭାବେ ଆମେ ଫୋନ ଘୁରାଇଲୁ, ଏତେବଡ ଖବର ଘଟିଗଲା, କିନ୍ତୁ ଆମ ପ୍ରତିନିଧି ଜାଣିଲେ ନାହିଁ କେମିତି? କିଛି ସମୟ ପାଇଁ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ପ୍ରତିନିଧିଙ୍କୁ ଜଣାଇ ଆମେ କିଭଳି ଖବରକୁ ନେଇ ଅନ୍ୟମାନଙ୍କ ଠାରୁ ଆଗରେ ରହିବୁ, ତାର ପ୍ରକ୍ରିୟା ଆରମ୍ଭ କରିଦେଲୁ । ଜାଣିଥିବା ଓଲିଉଡର କିଛୀ କଳାକାରଙ୍କ ଆରମ୍ଭ କରିଥିଲୁ ଯୋଗାଯୋଗ ।

ଯିଏ ଶୁଣିଲା ସିଏ ଆଶ୍ଚର୍ଯ୍ୟ ହେଲା, ଆଉ କହିଲ ମୁଁ ତ ଜାଣିନି । ବୁଝିକି କହୁଛି । ଆଉ ଏହାର କେଇ ମିନିଟ ପରେ ଜଣାପଡିଲା ଏହି ଖବର ପୁରା ମିଛ । ଜୟୀରାମ ସାମଲ ସଂପୁର୍ଣ୍ଣ ସୁସ୍ଥ ଅଛନ୍ତି । ଖବର ଶୁଣି ମନ ସଂପୁର୍ଣ୍ଣ ଆଶ୍ୱସ୍ତ ହେଲା, ଆଉ ମନ ବିଚଳିତ ହେଲା ଜଣେ ବଂଚିଥିବା ଲୋକଙ୍କୁ ଯେଉଁଭଳି ଭାବେ ଫେସବୁକରେ ମାରି ଦିଆଗଲା ।