ଥାନା ଭିତରେ ପଶିଲେ, ପୋଲିସକୁ ବି ଆକ୍ରମଣ କଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ଗୁରୁତର

ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି

444
କନକ ବ୍ୟୁରୋ : ଥାନାରେ ପଶି ଭଙ୍ଗାରୁଜା । ଗତକାଲି ବିଳମ୍ବିତ ରାତିରେ ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୁଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଛି। ଏଥିରେ ଆଇଆଇସି ବିରଞ୍ଚି ପତି ଓ ଏଏସ୍ଆଇ ଏମ୍ସିଏଚ୍ ମୁର୍ମୁଙ୍କ ସମେତ ୪ ପୁଲିସ ଗୁରୁତର ଆହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍, ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର୍ କରିଦେଇଛନ୍ତି। ପ୍ରାୟ ଅଧଘଣ୍ଟା କାଳ ଥାନା ଭିତରକୁ ଢେଲା ପଥର ମାଡ଼ କରିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ଥାନାରେ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ରବିବାର ରାତି ପ୍ରାୟ ୧୨ଟା ବେଳେ ସହିଦନଗର ଥାନାରେ ୮ରୁ ୧୦ଜଣ ଦୁର୍ବୃତ୍ତ ଲଙ୍କାକାଣ୍ଡ ଭିଆଇଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ, ପୁଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଖଣ୍ଡଯୁଦ୍ଧ ଲାଗିଥିଲା। ପୁଲିସକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଖସି ଯାଉଥିବାବେଳେ ପୁଲିସ ୬ଜଣଙ୍କୁ ଅଟକ ରଖିଛି। ଏହାପରେ ଉଭୟ ପକ୍ଷର ଶତାଧିକ ଯୁବକ ସହିଦନଗର ଥାନା ଘେରାଉ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
ପୁଲିସ ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୯ଟା ବେଳେ ଭିଏସ୍ଏସ୍ ନଗରରେ ଜିଏଲ୍ କଲୋନିରେ ଦୁଇଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ଗାଡ଼ି ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ସେଠାକାର ବାସିନ୍ଦା ତଥା ଯୁବ ନେତା ପ୍ରକାଶ ତ୍ରିପାଠୀ ମଧ୍ୟସ୍ଥତା କରିଥିଲେ। କିନ୍ତୁ ଚାଳକ ଦ୍ବୟ ତାଙ୍କୁ ପାଲଟା ଆକ୍ରମଣ କରିଥିଲେ। ଏଥିରେ ପ୍ରକାଶ ଆହତ ହୋଇଥିଲେ। ଏ ନେଇ ସେ ସହିଦ ନଗର ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଘଟଣାସ୍ଥଳରୁ ତିନି ଜଣଙ୍କୁ ପିସିଆରରେ ଥାନାକୁ ଆଣିଥିଲା। ଥାନା ସମ୍ମୁଖରେ ପିସିଆର୍ ପହଞ୍ଚିବା କ୍ଷଣି ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୮ରୁ ୧୦ଜଣ ଯୁବକ ପିସିଆର୍ ଭିତରେ ପଶି ଆକ୍ରମଣ ଉଦ୍ୟମ କରିଥିଲେ।
ଭୟରେ ଅଭିଯୁକ୍ତମାନେ ଥାନା ଭିତରକୁ ଦଉଡ଼ି ପଳାଇବାରୁ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଥାନା ଭିତରେ ପଶି ଯାଇଥିଲେ। ପୁଲିସ ହେପାଜତରେ ଥିବା ଯୁବକଙ୍କୁ ମାଡ଼ ମାରିବାକୁ ଏଏସ୍ଆଇ ଶ୍ରୀ ମୁର୍ମୁ ବାରଣ କରିବାରୁ ସେମାନେ ତାଙ୍କ ମୁଣ୍ଡକୁ ଚେୟାର ଗୋଡ଼ରେ ଛେଚି ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ଆଇଆଇସି ଯୁବକମାନଙ୍କୁ ଅଟକାଇବାକୁ ଦଉଡ଼ି ଆସିଥିଲେ। ହେଲେ ସେମାନେ ଆଇଆଇସିଙ୍କୁ ମଧ୍ୟ ଛାଡ଼ି ନଥିଲେ। ୪ରୁ ୫ଜଣ ଆଇଆଇସିଙ୍କୁ ଚାରିପଟୁ ଘେରି ମାଡ଼ ମାରି ତଳେ ପକାଇ ଦେବା ସହ ଅନ୍ୟ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ।