ପୁଣି ପୁଲୱାମାରେ ବଳିଦାନ, ଅଶ୍ରୁ ଝରାଉଛି ଓଡ଼ିଶା । ଆତଙ୍କୀ ହମଲାରେ ଢ଼େଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ ସହିଦ

ସକାଳୁ ସକାଳୁ କାଶ୍ମୀରରୁ ଆସିଲା ଫୋନ୍

268

କନକ ବ୍ୟୁରୋ : ସକାଳୁ ସକାଳୁ କାଶ୍ମୀରରୁ ଆସିଲା ଫୋନ୍ , ସୀମାରେ ସହିଦ ହୋଇଯାଇଛନ୍ତି ନାଏକ ଅଜିତ କୁମାର ସାହୁ । ଆଉ ତାପରେ ସ୍ତବ୍ଧ ହୋଇଯାଇଛି ପରିବାର । ଚାରିଆଡେ କାନ୍ଦବୋବାଳି । ମାଆ ଆଖିରୁ ଲୁହ ଶୁଖୁନି । ବାପା ହତବାକ୍ । ପୁଅ, ଦେଶ ପାଇଁ ଜୀବନ ଦେଇଛି ସତ, ହେଲେ ବାପା-ମାଆ ମନ କଣ ବୁଝୁଛି । ସୋମବାର ସକାଳୁ ବାପାଙ୍କୁ ଫୋନ୍ କରିଥିଲେ ଅଜିତ୍ । ମାଆଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ଥିଲେ । ବାପାଙ୍କୁ କହିଥିଲେ, ମାଆଙ୍କୁ ତୁରନ୍ତ ଡାକ୍ତରଙ୍କୁ ଦେଖାଅ । ଆଉ ପୁଅକୁ ବାପା କହିଥିଲେ, କାଶ୍ମୀରରେ ଅଧିକ ଥଣ୍ଡା, ଜାଗ୍ରତରେ ରହିବୁ । ହେଲେ ତାପରଦିନ ସକାଳୁ ଘରେ ପହଁଚିଥିଲା ପୁଅ ସହିଦ ହେବାର ଖବର ।

୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ୍ । କୋଲକାତାରେ ୩ ବର୍ଷ ରହିବା ପରେ ବଦଳି ହୋଇଥିଲା ବାଙ୍ଗାଲୋରକୁ । ଆଉ ତାପରେ କାଶ୍ମୀର । ସୋମବାର, ଦକ୍ଷିଣ କାଶ୍ମୀର ପୁଲୱାମା ଜିଲ୍ଲାର ଅରିହଲରେ ସାଥୀଙ୍କ ସହ ଗାଡିରେ ଯାଉଥିଲେ ଅଜିତ । ହଠାତ୍ ଯବାନଙ୍କ ଗାଡି ଉପରକୁ ଆକ୍ରମଣ କଲେ ଆତଙ୍କବାଦୀ । ଆଉ ତାପରେ ଆଇଇଡି ବିସ୍ପୋରଣ ବି ହେଲା । ଏଥିରେ ଗୁରୁତର ଆହତ ହୋଇଥିଲେ ଅଜିତ । ଆଉ ରାତି ପ୍ରାୟ ୨ଟାରେ ସହିଦ୍ ହୋଇଯାଇଥିଲେ ।

ନିଜ ଫେସବୁକ୍ ପ୍ରୋଫାଇଲରେ ଅଜିତ ଲେଖିଛନ୍ତି -ଦେଶ ପାଇଁ ଜୀବନ ଦେବି । ଗତ ୧ତାରିଖରେ ଘରକୁ ଆସିଥିଲେ ଅଜିତ । ସାଙ୍ଗସାଥୀଙ୍କ ସହ ହ୍ୱାଟ୍ସ ଅପ୍ ଗ୍ରୁପରେ ଲେଖିଥିଲେ ଶୀଘ୍ର ଘରକୁ ଫେରିବି । ଏବେ ଅଜିତକୁ ଝୁରୁଛି କାମାକ୍ଷାନଗରର ବଡଶୁଆଳ ଗାଁ ।