ଅପଦସ୍ତ ହେଲେ ଶାହରୁଖ : ଆମେରିକାର ବିମାନବନ୍ଦରରେ ସୁରକ୍ଷା ଯାଂଚ ବେଳେ ଶାହରୁଖଙ୍କୁ ଅଟକ

64

କନକ ବ୍ୟୁରୋ : ସୁପରଷ୍ଟାର ଶାହରୁଖ ଖାନଙ୍କୁ ପୁଣି ଥରେ ଆମେରିକାର ଲସ ଏଂଜେଲସରେ ହଟହଟା ହେବାକୁ ପଡିଛି । ସୁରକ୍ଷା ଯାଂଚ ବେଳେ ତାଙ୍କୁ ଅଟକ ରଖା ଯାଇଥିଲା । ତେବେ ଅଟକ ରଖିବାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ଟ୍ୱିଟରରେ ଶାହରୁଖ ଏ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ସୁରକ୍ଷା ବ୍ୟବସ୍ଥାକୁ ସେ ବୁଝନ୍ତି ଏବଂ ସମ୍ମାନ ମଧ୍ୟ ଦିଅନ୍ତି କିନ୍ତୁ ପ୍ରତ୍ୟେକ ଥର ତାଙ୍କୁ ସୁରକ୍ଷା ଯାଂଚ ବେଳେ ଅଟକ କରାଯିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ସେପଟେ ଆମେରିକା ସରକାରଙ୍କ ସହକାରୀ ସଚିବ ନିଶା ଦେଶାଇ ବିଶ୍ୱାଳ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଶାହରୁଖ ଖାନଙ୍କୁ ଏୟାରପୋର୍ଟରେ ଯେଉଁ ବାଧା ସୃଷ୍ଟି ହୋଇଛି ସେ କ୍ଷମା ମାଗୁଥିବା ନେଇ ଟ୍ୱିଟ୍ କରିଛନ୍ତି । ଶାହରୁଖ ଖାନଙ୍କୁ ଆମେରିକାର ବିମାନବନ୍ଦରରେ ସୁରକ୍ଷା ଯାଂଚ ବେଳେ ଅଟକ ରଖାଯିବା ପ୍ରଥମ ଘଟଣା ନୁହେଁ ।

୨୦୧୨ରେ ମଧ୍ୟ ଆମେରିକାର ଇମିଗ୍ରେସନ୍ ଅଫିସରମାନେ ନ୍ୟୁୟର୍କ ଏୟାରପୋର୍ଟରେ ଦୁଇଘଂଟା ଧରି ଅଟକାଇଥିଲେ ଶାହରୁଖଙ୍କୁ । ଏହା ଛଡା ୨୦୦୯ରେ ମଧ୍ୟ ଆମେରିକା ନ୍ୟୁ-ଜର୍ସି ଏୟାରପୋର୍ଟରେ ସୁରକ୍ଷା ଯାଂଚ ବେଳେ ଅଟକ ରଖାଯାଇଥିଲା । ଗଣମାଧ୍ୟମକୁ ସୂଚନା ଦେଇ ଶାହରୁଖ କହିଛନ୍ତି ସୁରକ୍ଷା ଅଧିକାରୀଙ୍କୁ ସେ ତାଙ୍କ ଆମେରିକା ଗସ୍ତର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ ମଧ୍ୟ କେହି କିଛି ଶୁଣି ନଥିଲେ ।