ହକି ପାଇଁ ମୋ ହୃଦୟ ଧକ୍ ଧକ୍ ! ମୁଁ ଆସିବି ଓଡିଶା, ହକି ବିଶ୍ୱକପରେ ଯୋଗଦେବା ନେଇ ଟ୍ୱିଟ୍ କରି ଘୋଷଣା କରିବା ସହ ନବୀନଙ୍କୁ ଧନ୍ୟବାଦ ଦେଲେ କିଙ୍ଗ୍ ଖାନ୍

43

କନକ ବ୍ୟୁରୋ : ଓଡ଼ିଶା ଆସିବେ କିଙ୍ଗ ଖାନ୍ ଶାହରୁଖ । ହକି ବିଶ୍ୱ କପରେ ସାମିଲ ହେବେ ବଲିଉଡ୍ ବାଦଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ଉତର ଦେଇ ଶାହାରୁଖ କହିଛନ୍ତି, ସେ ହକି ବିଶ୍ୱକପ୍ ପାଇଁ ଓଡିଶାର କଳିଙ୍ଗ ଷ୍ଟାଡିୟମ୍ ଆସିବାକୁ ଆଗ୍ରହୀ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଓଡିଶା ଆସିବାକୁ ଇଛା ପ୍ରକାଶ କରିଛନ୍ତି । ଏପରିକି ହକି ପାଇଁ ତାଙ୍କ ଭଳି କୋଟି କୋଟି ଭାରତୀୟଙ୍କ ହୃଦୟ ସ୍ପଦନ କରୁଛି ବୋଲି ଟ୍ୱିଟ୍ ଯୋଗେ କହିଛନ୍ତି ଶାହାରୁଖ ।


ନିଜ ସାଥିରେ ହକି ଖେଳିବା ପାଇଁ ଭାରତୀୟ ହକି ଦଳର ଖେଳାଳି ମାନେ ଶାହରୁଖଙ୍କୁ ନିମନ୍ତ୍ରଣ କରି ଏକ ଭିଡିଓ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେମାନଙ୍କ ସାଥିରେ ହକି ଖେଳିବା ପାଇଁ ଖେଳାଳି ମାନେ ନିବେଦନ କରିବା ସହ ‘ଚକ୍ ଦେ’ ଜରିଆରେ ସପୋର୍ଟ ମଧ୍ୟ ମାଗିଥିଲେ । ଏହି ଭିଡିଓ ଜବାବରେ ଶାହରୁଖ ଟ୍ୱିଟରରେ ଲେଖିଛନ୍ତି ଯେ, ଭଲ କାମରେ ବିଳମ୍ବ କରିବା ଉଚିତ ନୁହେଁ । ଏବଂ ତାଙ୍କୁ କହିବାକୁ ପଡିବନି ସେ ନିଜେ ଯାଇ ସେଠାରେ ପହଂଚିଯିବେ । ହକି ଦେଶର ସମ୍ମାନ ଓ ସେ ହକି ଦଳକୁ ଶୁଭକାମନା ଜଣାଉଛନ୍ତି । ଏବଂ ଆଉ ଗୋଟିଏ କଥା ଯେ, ତାଙ୍କ ହୃଦୟ ବି ହକି ପାଇଁ ଧକ୍ ଧକ୍ ହୁଏ ବୋଲି ସେ ଟ୍ୱିଟ୍ କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରିଟ୍ୱିଟ କରି ଏଥିପାଇଁ ଖୁସି ଜାହିର କରିଛନ୍ତି ।

ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ବିଶ୍ୱ କପ ହକି ପାଇଁ ଓଡ଼ିଶାବାସୀ ଶାହରୁଖଙ୍କୁ ସ୍ୱାଗତ କରୁଛନ୍ତି ବୋଲି ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏସବୁ ଭିତରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବକୁ ଚାତକ ଭଳି ଚାହିଁ ବସିଛନ୍ତି ହକି ପ୍ରେମୀ । କାରଣ ଏହି ସମାରୋହରେ ବଲିଉଡର ନାମୀ ଦାମୀ କଳାକାରଙ୍କ ସହ ଓସ୍କାର ବିଜେତା ଏ ଆର ରେହମାନଙ୍କ ସଙ୍ଗୀତରେ ମତୁଆଲା ହେବେ ହକି ପ୍ରେମୀ । ଅନ୍ୟପଟେ ହକି ବିଶ୍ୱକପକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ସଫଳ କରିବାକୁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି ।