କାୟା ମେଲାଉଛି ସାହାରା ମରୁଭୂମି ! ୧୦୦ବର୍ଷରେ ବଢିଲା ୯ଲକ୍ଷ ବର୍ଗ କିଲୋମିଟର ।

371

ଆମେରିକାର ମେରିଲ୍ୟାଣ୍ଡ ୟୁନିଭରସିଟିରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଦୁନିଆର ସବୁଠାରୁ ବଡ ମରୁଭୂମିର ପରିସୀମା ୧୦ପ୍ରତିଶତରୁ ଅଧିକ ବଢିଯାଇଛି । ଏହି ରିସର୍ଚ୍ଚ ଗତ ୧୦୦ ବର୍ଷର ତଥ୍ୟକୁ ନେଇ କରାଯାଇଛି । ରିପୋର୍ଟ ଅନୁସାରେ ଗତ ୧୦୦ ବର୍ଷରେ ୯ଲକ୍ଷ ବର୍ଗକିଲୋମିଟର କ୍ଷେତ୍ରଫଳ ବଢିଛି ।

ତେବେ ଏହା ପଛରେ ଗ୍ଲୋବାଲ ୱାର୍ମିଙ୍ଗର କାରଣ ରହିଥିବା ଦର୍ଶାଯାଉଛି । ରିସର୍ଚ୍ଚ କରିଥିବା ବିଶେଷଜ୍ଞଙ୍କ କହିବା କଥା ଭୂପୃଷ୍ଟର ତାପମାତ୍ରା ବଢିବା ସହ ମରୁଭୂମିର କ୍ଷେତ୍ରଫଳ ମଧ୍ୟ ବଢିଛି ।
ବିଶେଷଜ୍ଞମାନେ ୧୯୨୦ ରୁ ୨୦୧୩ ମସିହା ମଧ୍ୟରେ ହୋଇଥିବା ମୌସୁମୀ ବର୍ଷାର ଆକଳନ କରିଛନ୍ତି । ରିସର୍ଚ୍ଚରୁ ଜଣାପଡିଛି ଯେ, ସାହାରାର ଆଖପାଖ ଅନେକ ଅଞ୍ଚଳ ପୂର୍ବରୁ ମରୁଭୂମି ନଥିଲା । କିନ୍ତୁ ଏବେ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି ।

ରିସର୍ଚ୍ଚରୁ ଏହା ବି ଜଣାପଡିଛି ଯେ, ଆଫ୍ରିକାରେ ତାପମାତ୍ରା ବଢିବାରେ ଲାଗିଛି । ଆଉ ଏଥିରେ ଆଫ୍ରିକୀୟ ଲୋକମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡିପାରେ, ଯାହା ଦୁନିଆସାରା ଦେଖାଯିବ । କିଛି ଅଞ୍ଚଳରେ ୯୩ ବର୍ଷରେ ୧୬ପ୍ରତିଶତ ପର୍ଯ୍ୟନ୍ତ ମରୁଭୂମିର କ୍ଷେତ୍ରଫଳ ବଢୁଥିବାର ଦେଖିବାକୁ ମିଳିଛି ।

ଜାନୁଆରୀରେ ଏଠାରେ ବର୍ଷା ହୋଇଥିଲା :

ଦୁନିଆର ସବୁଠାରୁ ଅଧିକ ଗରମ ମରୁଭୂମି ସାହାରାରେ ଜାନୁଆରୀ ମାସରେ ବରଫପାତ ହୋଇଥିଲା । ସାହାରାର ପ୍ରବେଶ ଦ୍ୱାର କୁହାଯାଉଥିବା ଉତ୍ତର ଆଲଜେରିଆରେ ନାଲି ବାଲି ଉପରେ ଧଳା ବରଫ ଛାଇ ହୋଇଯାଇଥିଲା । ୧୬ ଇଞ୍ଚ ପର୍ଯ୍ୟନ୍ତ ବରଫପାତ ହୋଇଥିଲା । ଏଠାରେ ୪୦ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ପାଖାପାଖି ୩୮ବର୍ଷ ପୂର୍ବରୁ ଫେବୃଆରୀ ୧୯୭୯ ରେ ଏଠାରେ କିଛି ଘଣ୍ଟା ପାଇଁ ବରଫପାତ ହୋଇଥିଲା ।