ଖାସ୍ ଯୋଗୀ ଆଦିତ୍ୟନାଥଙ୍କୁ ଖୁସି କରିବା ପାଇଁ …! ଶେଷରେ ପାଇଖାନାକୁ ମଧ୍ୟ ଛାଡ଼ିଲେନି

28

ପୂରା ଦେଶକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ପ୍ରତି ରାଜ୍ୟରେ ଯେମିତି ପଦ୍ମ ଫୁଟିବ ସେଥିପାଇଁ ଦିନରାତି ଏକ କରି ଦେଇଛନ୍ତି ମୋଦି-ଶାହା ଯୋଡ଼ି । ତେବେ ଏସବୁ ଭିତରେ ଉତ୍ତରପ୍ରଦେଶକୁ ପୂରା ଗେରୁଆ ମୟ କରି ସାରିଲେଣି ଯୋଗୀ ଆଦିତ୍ୟନାଥ । ସରକାରୀ ବଙ୍ଗଳା ଠାରୁ ଆରମ୍ଭ କରି ସୋଫା, ସ୍କୁଲ ଏପରିକି ମୂର୍ତ୍ତି ଗୁଡ଼ିକୁ ମଧ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇସାରିଛି । ଆଉ ଏସବୁ ପରେ ଏବେ ପାଇଖାନାର ପାଳି ପଡ଼ିଛି । ଯୋଗୀ ଆଦିତ୍ୟନାଥଙ୍କୁ ଖୁସି କରିବା ପାଇଁ ଅଧିକାରୀ ମାନେ ଏବେ ଟଏଲେଟର ରଙ୍ଗ ମଧ୍ୟ ଗେରୁଆ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ, ଶନିବାର ଯୋଗୀ ଆଦିତ୍ୟନାଥ ଆଠ ଘଣ୍ଟିଆ ହରଦୋଇ ଗସ୍ତ କରିଛନ୍ତି । ଏଥିପାଇଁ ପୂରା ପ୍ରଶାସନ ତତ୍ପର ହୋଇ ଉଠିଛି । ଯୋଗୀ ଆଦିତ୍ୟନାଥଙ୍କୁ ଖୁସ କରିବାକୁ କାର୍ଯ୍ୟକ୍ରମ ସ୍ଥଳରେ ଗେରୁଆ ରଙ୍ଗର ପର୍ଦ୍ଦା ଲଗାଯାଇଛି । ଏହାସହ ସ୍ୱଚ୍ଛତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଆଉ ଏହି କ୍ରମରେ ପାଇଖାନାରେ ଲାଗିଥିବା ଧଳା ଟାଇଲ୍ସକୁ ବଦଳାଯାଇ ଏଥିରେ ଗେରୁଆ ରଙ୍ଗର ଟାଇଲ୍ସ ଲଗାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ବିଜେପି ସରକାର ଆସିବା ପରେ ରାଜ୍ୟ ସଚିବାଳୟ ସହ ବିଭିନ୍ନ ସରକାରୀ ବଙ୍ଗଳା ଗୁଡ଼ିକର ରଙ୍ଗ ପରିବର୍ତ୍ତନ କରି ଗେରୁଆ ରଙ୍ଗ କରାଯାଇଥିଲା । ଏପରିକି ସରକାରୀ ସ୍କୁଲ ଗୁଡ଼ିକୁ ମଧ୍ୟ ଏହି ତାଲିକାରୁ ବାଦ ପଡ଼ିନଥିଲା । ଯାହାକୁ ନେଇ ବିବାଦ ମଧ୍ୟ ଦେଖା ଦେଇଥିଲା । କିନ୍ତୁ ପରେ ନିଜର ଭୂଲ ସ୍ୱୀକାର କରିବା ସହ ଉକ୍ତ ଅନୁଷ୍ଠାନ ଗୁଡ଼ିକୁ ପୁରୁଣା ରଙ୍ଗରେ ପରିବର୍ତ୍ତିତ କରାଯାଇଥିଲା ।