ଦୀପାବଳୀ ପାଇଁ କମିଶନରେଟ ପୋଲିସ ଜାରି କଲା ଆଡଭାଇଜାରୀ ! ସୁରକ୍ଷିତ ବାଣ ଫୁଟାଇବାର ଟିପ୍ସ ଦେଲା କମିଶନରେଟ ପୋଲିସ

83

କନକ ବ୍ୟୁରୋ : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ରଙ୍ଗବେରଙ୍ଗ ଆତବାଜିରେ ଚମକିବ ଆକାଶ । ଏହି ଉତ୍ସବ ପାଳନ ପାଇଁ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଲୋକେ । ତେବେ ପ୍ରତିବର୍ଷ ଦୀପାବଳୀରେ ବାଣ ଫୁଟାଇବା ବେଳେ ବିିଭିନ୍ନ ଦୁର୍ଘଟଣାର ଘଟଣା ସାମ୍ନାକୁ ଆସୁଛି । ବାଣ ଫୁଟାଇ କିଛି ଲୋକ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି । ଚଳିତବର୍ଷ ମଧ୍ୟ ରାଜ୍ୟର ଦୁଇ ମହାନଗରୀରେ ଦୀପାବଳୀର ଧୁମ ଦେଖିବାକୁ ମିଳିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହେଲାଣି । ତେବେ ଏହି ପର୍ବକୁ କିପରି ସୁରକ୍ଷିତ ଭାବେ ପାଳନ କରାଯିବ ସେ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । କମିଶନରେଟ ପୋଲିସ ତରଫରୁ ଜନସାଧାରଣଙ୍କ ନିମନ୍ତେ ଏନେଇ ଏକ ଘୋଷଣାନାମା ଜାରି କରାଯାଇଛି । ଯେଉଁଥିରେ ଦୀପାବଳିକୁ କିପରି ସୁରକ୍ଷିତ ଭାବେ ପାଳନ କରିବେ ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି । ଏହାସହ କୌଣସି ଅଘଟଣ ଘଟିଲେ ହେଲ୍ପଲାଇନ ନମ୍ବରରେ କଲ କରିବାକୁ କୁହାଯାଇଛି ।

crackersଦୀପାବଳୀ ସମୟରେ କୌଣସି ଛୋଟ କିମ୍ବା ଅନ୍ୟ ସ୍ଥାନରୁ ବାଣ ନ କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । କେବଳ ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରୁ ବାଣ କିଣିବାକୁ ଲୋକଙ୍କୁ କୁହାଯାଇଛି । ତା ଛଡା ବାଣ ଫୁଟାଇବା ସମୟରେ ଅଧିକାଂଶ ଛୋଟ ଛୁଆ ପୋଡି ହେଉଥିବାର ଘଟଣା ସାମ୍ନାକୂୁ ଆସୁଛି । ତେଣୁ ଛୋଟ ଛୁଆଙ୍କୁ ବାଣ ଫୁଟାଇବାକୁ ଏକୁଟିଆ ନ ଛାଡି ତାଙ୍କ ସହିତ ପରିବାରର ଜଣେ ସଦସ୍ୟ ରହିବାକୁ କମିଶନରେଟ ପୋଲଇସ ତରଫରୁ କୁହାଯାଇଛି । ବାଣ କିଣିବା ବେଳେ ଏହା କିପରି ଫୁଟାଯିବ ସେ ନେଇ ସମସ୍ତ ତଥ୍ୟ ଦୋକାନୀ ଲୋକଙ୍କୁ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କେହି ଦୋକାନୀ ଏହି ନିୟମର ଉଲ୍ଲଘଂନ କରୁଥାଏ ତେବେ ତାଙ୍କ ପ୍ରତି ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବା ସହ ଲାଇସେନ୍ସ ରଦ୍ଦ କରାଯିବ ।

ବାଣ ଫୁଟାଇବା ବେଳେ ଲୋକଙ୍କ ପାଇଁ ମଧ୍ୟ କିଛି ନିୟମ ଆଣିଛି କମିଶନରେଟ ପୋଲିସ । ୧୨୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ବାଣ ନ ଫୁଟାଇବାକୁ ଏଥିରେ କୁହାଯାଇଛି । ଏହାଛଡା ସ୍କୁଲ, କଲେଜ, ହଷ୍ଟେଲ, ଡାକ୍ତରଖାନା, ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ବୃଦ୍ଧ ଲୋକ ରହୁଥିବା ସ୍ଥାନରେ ବାଣ ଫୁଟାଇବାକୁ ଲୋକଙ୍କୁ ବାରଣ କରାଯାଇଛି । ତେବେ ଦୁର୍ଘଟଣା ଏଡାଇବାକୁ ବାଣ ଫୁଟାଇବା ବେଳେ ପଲିଷ୍ଟର କପଡା ନ ପିନ୍ଧିବାକୁ କୁହାଯାଇଛି । ତା ଛଡା ବାଣ ଫୁଟାଇବା ସ୍ଥାନରେ ପାଣି, ବାଲି ଓ କମ୍ବଳ ମହଜୁଦ ରଖିବାକୁ କୁହାଯାଇଛି । ବାଣ ଫୁଟାଇବା ବେଳେ ସର୍ବଦା ଫାଷ୍ଟ ଏଡ ବକ୍ସ ରଖିବା ଅବଶ୍ୟକ ।

ବାଣ ଫୁଟାଇବା ବେଳେ ସର୍ତକତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କମିଶନରେଟ ପୋଲିସ । ବାଣରେ ନିଆଁ ଲଗାଇବା ବେଳେ ସର୍ବଦା ମହମବତୀ କିମ୍ବା ଲମ୍ବା ବାଡିର ବ୍ୟବହାର କରିବା ସହ ଅଫୁଟା ବାଣକୁ ପୁଣିଥରେ ଫୁଟାଇବାକୁ ପ୍ରୟାସ ନ କରିବାକୁ ଏଡି ନିର୍ଦ୍ଦେଶାନାମାରେ କୁହାଯାଇଛି । ହାତରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି କମିଶନରେଟ ପୋଲିସ । ଏହାଛଡା କୌଣସି ଜୀବଜନ୍ତୁଙ୍କ ଶରୀର ଉପରକୁ ବାଣ ନ ଫିଙ୍ଗିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ ପୋଲିସ । ଯଦି ବାଣ ଫୁଟାଇବା ବେଳେ ଯଦି କୌଣସି ଅଘଟଣ ଘଟେ ତେବେ ୧୦୦ ନମ୍ବରରେ ପୋଲିସ କଣ୍ଟ୍ରୋଲ ରୁମ ଓ ୧୦୧ ନମ୍ବରରେ ଅଗ୍ନିଶମ ବିଭାଗକୁ ଲୋକେ କଲ କରିବାକୁ ପରାମର୍ଶ ଦେଇଛନ୍ତି କମିାନରେଟ ପୋଲିସ ।

scସେହିଭଳି ଚଳିତବର୍ଷ ଦୀପାବଳୀ ପୂର୍ବରୁ ଗତକାଲି ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରରେ ବାଣ ବିକ୍ରି ଉପରେ ରୋକ ଲଗାଇଛନ୍ତି । ନଭେମ୍ବର ୧ ତାରିଖ ପଯ୍ୟନ୍ତ ବାଣ ବିକ୍ରି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ବାଣ ବିକ୍ରି ଲାଗି ଦିଲ୍ଲୀ ପୋଲିସ୍ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ଲାଇସେନ୍ସକୁ ବାତିଲ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ୨୦୧୬ରେ ଦିଲ୍ଲୀ ସରରକାର ଏହି ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ ଦୀପାବଳୀ ପୂର୍ବରୁ ଦିଲ୍ଲୀ-ଏନସିଆରରେ ବାଣ ବିକ୍ରୀ ହେବ ନାହିଁ ।
ସୁପ୍ରିମକୋର୍ଟ ନଭେମ୍ବର ୧ ତାରିଖ ଯାଏଁ ବାଣ ବିକ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅର୍ଥାତ ନଭେମ୍ବର ୧ ପରେ ହିଁ ଦିଲ୍ଲୀରେ ବାଣ ବିକ୍ରୀ ହୋଇପାରିବ । ଗତବର୍ଷ ବାଣ ବିକ୍ରୀ ବନ୍ଦ କରିବାକୁ କିଛି ନାବାଳକ ସୁପ୍ରିମକୋର୍ଟ ଯାଇଥିଲେ । ଏଥିରେ ଦଶହରା ଓ ଦୀପାବଳୀରେ ବାଣ ବିକ୍ରୀ ଉପରେ ବ୍ୟାନ ଲଗାଇବା ପାଇଁ ସେମାନେ ଆବେଦନ କରିଥିଲେ ।