ଗେଣ୍ତାଳିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ନୟାଗଡ଼ ଜିଲ୍ଲାର କୁରୁମବାଙ୍କତରା ଗ୍ରାମ : ହଜାର ହଜାର ଗେଣ୍ତାଳିଆଙ୍କ ସମାଗମରେ ସୃଷ୍ଟି ହେଉଛି ମନଲୋଭା ପରିବେଶ

243

କନକ ବ୍ୟୁରୋ : କୃଷକର ବନ୍ଧୁ ଗେଣ୍ତାଳିଆ । ବିଷୁବ ମଣ୍ତଳୀୟ ଅଂଚଳ ବିଶେଷ କରି ଭାରତ ଓ ଶ୍ରୀଲଙ୍କାରେ ଏହି ପକ୍ଷୀ ଦେଖାଯାଆନ୍ତି । ଫସଲ ନଷ୍ଟକାରୀ ଗେଣ୍ତାମାନଙ୍କୁ ଖାଇ ଫସଲକୁ ସୁରକ୍ଷା ଦେଉଥିବାରୁ ଏହି ପକ୍ଷୀମାନଙ୍କୁ କୃଷକର ବନ୍ଧୁ ବୋଲି କୁହାଯାଏ । ଓଡ଼ିଶା ଲୋକକଥା ପରମ୍ପରାରେ ମଧ୍ୟ ଗେଣ୍ତାଳିଆ ପକ୍ଷୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବିଲବାଡ଼ିରେ ବସୁଥିବା ଏଭଳି ଉପକାରୀ ପକ୍ଷୀ ପୂର୍ବପରି ଆଉ ଦେଖାଯାଉ ନାହାନ୍ତି । ବିଭିନ୍ନ ପାରିପାର୍ଶ୍ବିକ ଅସନ୍ତୁଳନତା ଯୋଗୁ ଲୋପ ପାଇବାକୁ ବସିଲାଣି ଏମାନଙ୍କ ସଂଖ୍ୟା। ମାତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ପ୍ରତିବର୍ଷ ଗେଣ୍ତାଳିଆଙ୍କ ସମାଗମ ଦେଖିବାକୁ ମିଳୁଛି । ହଜାର ହଜାର ସଂଖ୍ୟାରେ ଗେଣ୍ତାଳିଆଙ୍କ ସମାବେଶ ଏହି ଗାଁରେ ଏକ ମନଲୋଭା ପରିବେଶ ସୃଷ୍ଟି କରୁଛି ।

ଦୀର୍ଘ ୩୦ ବର୍ଷ ହେଲା ଗେଣ୍ତାଳିଆ ପକ୍ଷୀଙ୍କ ସୁରକ୍ଷାଦାତା ହେଉଛନ୍ତି ଏହି ଗାଁ ଲୋକେ । ସୁରକ୍ଷିତ ଆଶ୍ରୟ ପାଇଥିବାରୁ ପ୍ରତିବର୍ଷ ଏହି ଗାଁକୁ ଆସୁଛନ୍ତି ଗେଣ୍ତାଳିଆ ପକ୍ଷୀ ଦଳ। ରବିଗାଡ଼ିଆ ପଞ୍ଚାୟତ ଅନ୍ତର୍ଗତ କୁରୁମ ବାଙ୍କତରା ଗ୍ରାମର ଚତୁଃପାର୍ଶ୍ବରେ ଥିବା ୨୦ଟି ତେନ୍ତୁଳି ଗଛ ସମେତ ଅନ୍ୟ ଗଛରେ ଏମାନେ ବାସ କରୁଛନ୍ତି । ସାଧାରଣତଃ ଜୁନ୍ ମାସ ଆରମ୍ଭରୁ ଏମାନେ ଏଠାକୁ ଆସି ଖାଦ୍ୟ ଅନ୍ବେଷଣରେ ବାହାରକୁ ପଳାଇଯାନ୍ତି । ଖାଦ୍ୟ, ପରିବେଶ ଓ ସୁରକ୍ଷିତ ଆଶ୍ରୟ ଯୋଗୁ ଗେଣ୍ତାଳିଆମାନେ ଏହି ଗାଁରେ ଏକାଠି ହେଉଛନ୍ତି । ଏମାନଙ୍କ ସୁରକ୍ଷା ପାଇଁ ଗ୍ରାମ ତରଫରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଗଛ ଉପରକୁ କେହି ଟେକା ପଥର ନ ଫୋପାଡ଼ିବା ଓ ପକ୍ଷୀଙ୍କୁ ଆଘାତ ପହଞ୍ଚାଇଲା ଭଳି କୌଣସି କାର୍ଯ୍ୟ ନ କରିବାକୁ ଲୋକଙ୍କୁ ତାଗିଦ୍‌ କରାଯାଇଛି ।

ପକ୍ଷୀ ଶିକାର କଲେ ଜରିମାନା ଆଦାୟ କରାଯାଉଛି । ଜରିମାନା ଭୟରେ ଗ୍ରାମର କେହି ପକ୍ଷୀ ଶିକାର କରିବାକୁ ସାହସ କରୁନଥିଲା ବେଳେ, ବାହାର ଗାଁର ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ଏହି ମନମତାଣିଆ ପକ୍ଷୀ ବର୍ତ୍ତି ପାରୁନାହାନ୍ତି । କିଛି ବର୍ଷ ହେଲା ଶିକାରୀମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ଶିକାର କରୁଥିବା କିଛି ଗ୍ରାମବାସୀ କହିଛନ୍ତି । ଫଳରେ ଗେଣ୍ତାଳିଆଙ୍କ ଅଭୟାରଣ୍ୟ ପାଲଟିଥିବା କୁରୁମବାଙ୍କତରାକୁ ଆଗାମୀ ଦିନରେ ଏମାନଙ୍କ ଆଗମନ ସଂଖ୍ୟା ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲା ବନଖଣ୍ତ ଓ ଓଡ଼ଗାଁ ରେଞ୍ଜ୍‌ କାର୍ଯ୍ୟାଳୟ ତରଫରୁ ଏମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ପରିବେଶପ୍ରେମୀମାନେ ମତ ଦେଇଛନ୍ତି ।