ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗଦେଲେ ନବ ଦାସ ! ହାତ ଛାଡ଼ି ଏବେ ଶଙ୍ଖ ଧରିଲେ

420

କନକ ବ୍ୟୁରୋ : ବିଜେଡ଼ିରେ ଯୋଗଦେଲେ ବରିଷ୍ଠ ନେତା ନବ ଦାସ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗଦେଇଛନ୍ତି ନବ ।  ନବ ଦାସ ୫ ବ୍ଲକ ଚେୟାରମାନ ଓ ୮ ଜିଲ୍ଳା ପରିଷଦ ସଭ୍ୟଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କୁ ବିଜେଡ଼ି ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହା ପୂର୍ବରୁ ଆଜି ଝାରସୁଗୁଡାରେ ଜିଲ୍ଲା ପାଇଁ ୬୧୮ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଓ ଲଖନପୁର ବ୍ଲକର ୬ଟି ଉଠାଜଳସେଚନ ପ୍ରକଳ୍ପ ସହ ଝାରସୁଗୁଡା ଓ କିରିମରା ବ୍ଲକ ପାଇଁ ୨ଟି ଗ୍ରିଡକୋ ସବ ଷ୍ଟେସନକୁ ଉଦଘାଟନ କରିଛନ୍ତି । ସେହିପରି ଝାରସୁଗୁଡା କ୍ୟାନସର କେୟାର ହସ୍ପିଟାଲ, ୪ଟି ମେଗା ଜଳ ଯୋଗାଣ ପ୍ରକଳ୍ପ, ଚଉକିପଡା ରେଳ ଓଭରବ୍ରିଜ ଓ ଅମାତି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

 

 

ସୂଚନାଯୋଗ୍ୟ ଗତ ୧୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେବା ସହ ଦାସ ଇସ୍ତଫାପତ୍ରକୁ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ । ଏହାପୂର୍ବରୁ ପ୍ରାୟ ଏକ ମାସ ଧରି ନବ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । କଂଗ୍ରେସ ଛାଡ଼ିବା ପରେ ନବ କହିଥିଲେ ଲୋକ ଚାହୁଁଛନ୍ତି ମୁଁ ବିଜେଡ଼ିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ । କଂଗ୍ରେସ ଦଳରେ ମୋର କୌଣସି ମତାନ୍ତର କିମ୍ବା ମନାନ୍ତର ନାହିଁ ବୋଲି ମଧ୍ୟ କହିଥିଲେ ।