ଦୀପାବଳିରେ ଆସିଲା ଦୁଃଖ ଖବର । ବାସୁଦେବପୁରରେ ଲିଚୁ ଲଗାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, ଭଦ୍ରକରେ କୁନି ପିଲାର ହାତରେ ଫୁଟିଲା ବାଣ, ୩ଟି ଆଙ୍ଗୁଠି ନଷ୍ଟ ।

1,138

କନକ ବ୍ୟୁରୋ : ଦୀପାବଳିରେ ଆସିଲା ଦୁଃଖ ଖବର । ଭଦ୍ରକ ଗ୍ରାମାଂଚଳ ଥାନା ବଗମରା ଗାଁରେ ଅଘଟଣ । ସ୍ଥାନୀୟ ମୋହନ ମଲ୍ଲିକଙ୍କ ଘରେ ପିଲାମାନେ ବାଣ ଫୁଟାଉଥିବା ବେଳେ ତାଙ୍କର ତିନି ବର୍ଷର ପୁଅ ଗୁରୁତର ଆହତ ହୋଇଛି । ନିଆଁ ଲଗାଇଲା ବେଳେ ବାଣ ଫୁଟିଯିବାରୁ ପିଲାଟିର ତିନିଟି ଆଙ୍ଗୁଠି ନଷ୍ଟ ହୋଇଯାଇଛି । ତାକୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି ।

ସେହିପରି ବାସୁଦେବପୁର ଅଂଚଳରେ କାଳିପୂଜା ପାଇଁ ନିଜ ଦୋକାନରେ ଲିଚୁ ଲାଇଟ୍ ଲଗାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ପ୍ରକାଶ ଓଝାଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ କାମାକ୍ଷାନଗରରେ ବାଣ ଫୁଟାଇବା ବେଳେ ବିଭିନ୍ନ ସ୍ଥାନରେ ୪ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି ।

ଅନ୍ୟପଟେ ରାଜଧାନୀର ବିଭିନ୍ନ ଅଂଚଳରେ ବାଣ ଫୁଟାଇ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏମାନେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେପଟେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଂଚଳରୁ ଅଘଟଣ ଆସିଛି । ବାଣଫୁଟାଇବା ବେଳେ ପଂଚୁପୁଲି ଗାଁର ବୁଲୁ ଖଟୁଆ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ହାତରେ ଗଭୀର ଆହତ ସୃଷ୍ଟି ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି ।