ଓଡିଶା ଆସିବେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ! ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ହେବେ ସାମିଲ ।

291

କନକ ବ୍ୟୁରୋ : କଳିଙ୍ଗରେ ହାର୍ଟ ବିଟ୍ ବଢାଇବେ ସଚିନ୍ । ଆସନ୍ତାକାଲି ଓଡିଶା ଆସୁଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କାଲି ହକି ବିଶ୍ୱକପ ୨୦୧୮ର ଫାଇନାଲ ତଥା ଉଦଯାପନୀ ଉତ୍ସବ । ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଏହି ଉଦଯାପନୀ ଉତ୍ସବ ହେବାକୁ ଥିବା ବେଳେ ଏଥିରେ ସଚିନ୍ ତେନ୍ଦୁଲକର ସାମିଲ ହେବେ ବୋଲି ଜଣାପଡିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଚିନ୍ । କାଲି କଳିଙ୍ଗ ଷ୍ଟାଡିୟମରେ ଦେଖା ହେବ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ତେବେ କାଲି ହକି ବିଶ୍ୱକପ ଫାଇନାଲରେ ସଚିନଙ୍କୁ ଦେଖିବାକୁ ମିଳିବ । ଯାହାକୁ ନେଇ ଓଡିଶାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ହକି ବିଶ୍ୱକପ ୨୦୧୮ ଆସନ୍ତାକାଲି ଶେଷ ହେବାକୁ ଯାଉଛି । କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସ ଠାରୁ ପରାସ୍ତ ହେବା ସହ ଚଳିତ ବିଶ୍ୱକପରୁ ବାଦ ପଡିସାରିଛି ଟିମ୍ ଇଣ୍ଡିଆ । ତେଣୁ ବିଶ୍ୱକପର ଫାଇନାଲକୁ ନେଇ କ୍ରୀଡା ପ୍ରେମୀଙ୍କ ମନରେ ଉତ୍କଣ୍ଠା ଟିକିଏ କମିବା ଭଳି ଲାଗୁଥିଲା । କିନ୍ତୁ ସଚିନ ଓଡିଶା ଆସିବା ସ୍ପଷ୍ଟ ହେବା ପରେ ଓଡିଶାରେ ଖେଳିଯାଇଛି ଖୁସିର ଲହରୀ ।