ସଚିନଙ୍କ ନାଁରେ ରେକର୍ଡର ସମୁଦ୍ର । ବିଶ୍ୱକପରେ ତେନ୍ଦୁଲକରଙ୍କ ଏମିତି ୧୦ଟି ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ କେହି କାଟିପାରିନାହାନ୍ତି ।

681

କନକ ବ୍ୟୁରୋ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି । ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ରେକର୍ଡର ବର୍ଷା କରିଛନ୍ତି ସଚିନ୍ । ସେହିପରି ଯଦି ବିଶ୍ୱକପ ରେକର୍ଡ ଉପରେ ନଜର ପକାଇବା, ତେବେ ଶୀର୍ଷରେ ଅଛନ୍ତି ସଚିନ୍ । ବିଶ୍ୱକପରେ ସଚିନ୍ ତେନ୍ଦୁଲକର ଭାରତୀୟ କ୍ରିକେଟ୍ ଟିମର ଏପର୍ଯ୍ୟନ୍ତ ସବୁଠାରୁ ସଫଳ ଖେଳାଳୀ ରହିଛନ୍ତି । ବିଶ୍ୱକପରେ ତାଙ୍କ ନାଁରେ ସବୁଠାରେ ଅଧିକ ରନ୍ ଏବଂ ସବୁଠାରୁ ଅଧିକ ଶତକର ରେକର୍ଡ ରହିଛି । ଏହା ସହ ଗୋଟିଏ ବିଶ୍ୱକପରେ ସବୁଠାରୁ ଅଧିକ ରନର ରେକର୍ଡ ମଧ୍ୟ ସଚିନଙ୍କ ନାଁରେ ରହିଛି । ଆସନ୍ତୁ ଜାଣିବା କେଉଁ କେଉଁ ରେକର୍ଡ ରହିଛି ସଚିନଙ୍କ ନାଁରେ ।

୧. ୬ଟି ବିଶ୍ୱକପ ଖେଳିବାର ରେକର୍ଡ :

ସଚିନ ତେନ୍ଦୁଲକରଙ୍କ ନାମରେ ସବୁଠାରୁ ଅଧିକ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଖେଳିବାର ରେକର୍ଡ ରହିଛି । ସଚିନ ୧୯୯୧ରୁ ୨୦୧୧ ପର୍ଯ୍ୟନ୍ତ କ୍ରମାଗତ ୬ଟି ବିଶ୍ୱକପରେ ଖେଳିଛନ୍ତି ।

୨. ବିଶ୍ୱକପରେ ସବୁଠୁ ଅଧିକ ରନ୍ :

ବିଶ୍ୱକପରେ ଦୁଇ ହଜାରରୁ ଅଧିକ ରନ୍ କରିବାରେ ସଚିନ ତେନ୍ଦୁଲକର ଏକମାତ୍ର କ୍ରିକେଟର ଅଟନ୍ତି । ସେ ୫୬.୯୫ ରନ ହାରରେ ୨,୨୭୫ ରନ କରିଛନ୍ତି ।

୩.ବିଶ୍ୱକପରେ ସବୁଠୁ ଅଧିକ ଶତକ :

ବିଶ୍ୱକପରେ ଖେଳିଥିବା ୪୫ଟି ମ୍ୟାଚରୁ ସଚିନ ତେନ୍ଦୁଲକର ସବୁଠୁ ଅଧିକ ଶତକ ହାସଲ କରିଛନ୍ତି । ତାଙ୍କ ନାମରେ ୬ଟି ଶତକ ହାସଲ କରିଥିବାର ରେକର୍ଡ ରହିଛି । 

୪. ବିଶ୍ୱକପରେ ସର୍ବାଧିକ ଅର୍ଦ୍ଧଶତକ :

କେବଳ ଶତକରେ ଯେ ସଚିନ ରେକର୍ଡ କରିଛନ୍ତି, ତାହା ନୁହେଁ । ସବୁଠୁ ଅଧିକ ଅର୍ଦ୍ଧଶତକର ରେକର୍ଡ ମଧ୍ୟ ରହିଛି ମାଷ୍ଟର ବ୍ଲାଷ୍ଟରଙ୍କ ନାଁ ରେ । ଯେଉଁଠି ଅନ୍ୟ କୌଣସି ଖେଳାଳୀ ବିଶ୍ୱକପରେ ୧୦ଟି ଅର୍ଦ୍ଧଶତକ ହାସଲ କରିନଥିବା ବେଳେ ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି ୧୫ଟି ଅର୍ଦ୍ଧଶତକର ରେକର୍ଡ ।

୫. ଗୋଟିଏ ବିଶ୍ୱକପରେ ସର୍ବାଧିକ ରନ୍ :

ସଚିନ୍ ତେନ୍ଦୁଲକର ୨୦୦୩ ବିଶ୍ୱକପରେ ଯେତିକି ରନ୍ ସଂଗ୍ରହ କରିଥିଲେ, ସେତିକି ରନ୍ କୌଣସି କ୍ରିକେଟର ଗୋଟିଏ ବିଶ୍ୱକପରେ କରିନାହାନ୍ତି । ସଚିନ ୨୦୦୩ ବିଶ୍ୱକପରେ ମୋଟ୍ ୧୧ଟି ମ୍ୟାଚରୁ ୬୧.୧୮ ରନ ହାରରେ ୬୭୩ ରନ ସଂଗ୍ରହ କରିଥିଲେ ।

୬. ବିଶ୍ୱକପରେ ସବୁଠୁ ଅଧିକ ପାଳି :

୬ଟି ବିଶ୍ୱକପରେ ସଚିନଙ୍କ ଦ୍ୱାରା ଖେଳାଯାଇଥିବା ମୋଟ୍ ପାଳି ସଂଖ୍ୟା ହେଉଛି ୪୪ । ଯାହାକି ଏକ ରେକର୍ଡ ଅଟେ । କିନ୍ତୁ ବିଶ୍ୱକପରେ ସଚିନ ସବୁଠୁ ଅଧିକ ମ୍ୟାଚ୍ ଖେଳିନାହାନ୍ତି । ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାଁରେ ରହିଛି ।

୭. ବିଶ୍ୱକପରେ ସବୁଠୁ ଅଧିକ ମ୍ୟାନ୍ ଅଫ ଦି ମ୍ୟାଚ୍ :

ଦିନିକିଆ କ୍ରିକେଟରେ ସବୁଠାରୁ ଅଧି ୬୨ ଥର ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସଚିନ ତେନ୍ଦୁଲକର ବିଶ୍ୱକପରେ ମଧ୍ୟ ଏହି ମାମଲାରେ ଆଗରେ ରହିଛନ୍ତି । ବିଶ୍ୱକପରେ ମୋଟ୍ ୯ଥର ଏହି ସମ୍ମାନ ଲାଭ କରିଛନ୍ତି ସଚିନ୍ ।

୮. ଚୌକାରେ ସବୁଠାରୁ ଆଗରେ :

ଉଭୟ ଦିନିକିଆ ଏବଂ ବିଶ୍ୱକପରେ ଅଧିକ ଚୌକା ମାରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି । ବିଶ୍ୱକପରେ ଅପର୍ଯ୍ୟନ୍ତ କୌଣସି ଖେଳାଳୀ ୧୫୦ଟି ଚୌକା ମାରିନଥିବା ବେଳେ ସଚିନଙ୍କ ବ୍ୟାଟରୁ ବାହାରିଛି ୨୪୧ଟି ଜବରଦସ୍ତ ଚୌକା । ଯାହାକି ବିଶ୍ୱକପରେ ଏକ ରେକର୍ଡ ଅଟେ ।

୯. ତୃତୀୟ ୱିକେଟର ପାର୍ଟନରସିପ୍ :

୧୯୯୯ ମେ ୨୩ ତାରିଖରେ ସଚିନ ରାହୁଲ ଦ୍ରାବିଡଙ୍କ ସହ ମିଶି କେନିଆ ବିପକ୍ଷରେ ୨୩୭ ରନ କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ବିଶ୍ୱକପରେ ତୃତୀୟ ୱିକେଟରେ ସବୁଠାରୁ ଅଧିକ ରନର ରେକର୍ଡ ହୋଇରହିଛି ।

୧୦. ବିଶ୍ୱକପରେ ତିନି ଥର ୪୫୦ରୁ ଅଧିକ ରନ୍ :

ସଚିନ ତେନ୍ଦୁଲକର ବିଶ୍ୱକପର ୩ଟି ଅଲଗା ଅଲଗା ସଂସ୍କରଣରେ ୪୫୦ରୁ ଅଧିକ ରନ୍ କରିବାରେ ଏକମାତ୍ର କ୍ରିକେଟର ଅଟନ୍ତି ।