କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ବଢିଲା ଦର୍ଶକଙ୍କ ହୃତସ୍ପନ୍ଦନ 

286

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ କ୍ରିକେଟ ଜଗତର କିଙ୍ଗ୍ ସଚିନ ତେନ୍ଦୁଲକର । ହକି ବିଶ୍ୱକପର ଫାଇନାଲରେ ଯୋଗ ଦେବା ପାଇଁ ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁୂରକ୍ଷା ବଳୟ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ସିଧାସଳଖ କଳିଙ୍ଗ ଷ୍ଟାଡିୟମ ମଧ୍ୟକୁ ନିଆଯାଇଛି । ସେଠାରେ କ୍ରୀଡା ବିଭାଗ ପକ୍ଷରୁ ସଚିନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।  କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଓଡିଶା ଆସିଛନ୍ତି ସଚିନ୍ । ଆଉ ସଚିନଙ୍କୁ ପାଖରୁ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି ।

ଏହାପୂର୍ବରୁ ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ଯୋଗଦେବା ପାଇଁ ଓଡିଶା ଆସୁଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ସଚିନ୍ । ଏହାସହ ଓଡିଶା ସୁନ୍ଦର ଭାବେ ହକି ବିଶ୍ୱକପ ଆୟୋଜନ କରିଛି । ଯାହା ହକିକୁ ଆଗାମୀ ଯୁବ ପୀଢିଙ୍କ ପାଖରେ ଏକ କ୍ରୀଡା ଭାବେ ପରିଚିତ କରିପାରିବ । ଏଥିସହ ହକି ବିଶ୍ୱକପର ଟାଇଟେଲ ପାଇଁ ଲଢେଇ କରିବାକୁ ଥିବା ବେଲଜିୟମ ଓ ନେଦରାଲାଣ୍ଡ ଟିମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତେନ୍ଦୁଲକର ।  ଆଉ ସଚିନ ଓଡିଶା ଆସିବା ନେଇ ଟ୍ୱିଟ୍ କରିବା ପରେ ନବୀନ ତାଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଥିଲେ ।