ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସଚିନ ତେନ୍ଦୁଲକର ଦେଲେ ବଡ ବୟାନ! ଜାଣନ୍ତୁ କଣ କହିଲେ ସଚିନ୍

1,416

ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ଭାରତ ବହିଷ୍କାର କରିବାକୁ ଦାବି ଜୋର ଧରିଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଦେଇଛନ୍ତି ବଡ ବୟାନ । ଗୋଟିଏ ପଟେ ଅଧିକାଂଶ ଖେଳାଳି ଓ ସାଧାରଣ ଲୋକ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବହିଷ୍କାର କରିବାକୁ ଦାବି କରୁଥିବା ବେଳେ ସଚିନ କହିଛନ୍ତି, ଭାରତ ମ୍ୟାଚ୍ ନ ଖେଳି ପାକିସ୍ତାନକୁ ୨ ପଏଣ୍ଟ ମାଗଣାରେ ଦେବା କଥା ନୁହେଁ । କାରଣ ଏହାଦ୍ୱାରା କ୍ରିକେଟର ମହାକୁମ୍ଭରେ ଫାଇଦା ନେଇଯିବ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ।


ସୁନୀଲ ଗାଭାସ୍କରଙ୍କ ବୟାନକୁ ସମର୍ଥନ କରିବା ସଚିନ କହିଛନ୍ତି, ୧୬ ଜୁନରେ ହେବାକୁ ଥିବା ବିଶ୍ୱକପ ମୁକାବିଲାରୁ ହଟିବା ବଦଳରେ ପାକିସ୍ତାନକୁ ଭାରତ ହରାଇଲେ ଭଲ ହେବ । ଭାରତ ବିଶ୍ୱକପରେ ସବୁବେଳେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରି ଆସିଛି । ଆଉ ଏବେ ପୁଣିଥରେ ପାକିସ୍ତାନକୁ ହରାଇବାର ସମୟ ଆସିଛି । ତେଣୁ ବ୍ୟକ୍ତିଗତ ଭାବେ ପାକିସ୍ତାନକୁ ଦୁଇ ଅଙ୍କ ମାଗଣାରେ ଦେବାକୁ ପସନ୍ଦ କରିବି ନାହିଁ । ଏହାଦ୍ୱାରା ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ଫାଇଦା ମିଳିଯିବ ।

ଏହାସହ ସଚିନ କହିଛନ୍ତି, ଭାରତ ମୋ ପାଇଁ ସବୁକିଛି ତେଣୁ ମୋ ଦେଶ ଯାହା ବି ନିଷ୍ପତି ନେବ ତାହାକୁ ମୁଁ ହୃଦୟର ସହ ସମର୍ଥନ କରିବି । ଏହାପୂର୍ବରୁ ସୁନୀଲ ଗାଭାସ୍କର ମଧ୍ୟ ସମାନ ବୟାନ ଦେଇଥିଲେ । ତେବେ ହରଭଜନ ସିଂ ଓ ୟୁଜବେନ୍ଦ୍ର ଚହଲ ପାକିସ୍ତାନ ବିପକ୍ଷ ମ୍ୟାଚକୁ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରିବାକୁ ଦାବି କରିଛନ୍ତି । ବିଶ୍ୱକପ ମହାକୁମ୍ଭ ମେ’ ୩୦ରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବେଳେ ଜୁନ ୧୬ରେ ପାକିସ୍ତାନ ଓ ଭାରତ ମ୍ୟାଚ୍ ରହିଛି ।