ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦର ହଲ ଅଫ୍ ଫେମରେ ସଚିନ ତେନ୍ଦୁଲକର । ଷଷ୍ଠ ଭାରତୀୟ ଭାବେ ମିଳିଲା ସ୍ଥାନ

285

କନକ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦର ହଲ ଅଫ୍ ଫେମରେ ସାମିଲ ହେଲେ ସଚିନ ତେନ୍ଦୁଲକର । ଷଷ୍ଠ ଭାରତୀୟ ଭାବେ ସଚିନଙ୍କୁ ହଲ ଅଫ୍ ଫେମରେ ସ୍ଥାନ ମିଳିଛି । ଏଥିପାଇଁ ଲଣ୍ଡନରେ ଆୟୋଜିତ ସମାରୋହରେ ସାମିଲ ହୋଇ ସଚିନ୍ କହିଛନ୍ତି ଏହା ତାଙ୍କ ପାଇଁ ବହୁତ ବଡ ସମ୍ମାନ । ସଚିନଙ୍କ ନାଁରେ ଉଭୟ ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍ କରିବାର ରେକର୍ଡ ରହିଛି ।

ସଚିନ୍ ୨୦୦ଟେଷ୍ଟ ମ୍ୟାଚରୁ ୫୩ ଦଶମିକ୍ ସାତ ଆଠ ହାରରେ ସେ ୧୫୯୨୧ ରନ୍ କରିଛନ୍ତି । ଏଥିରେ ତାଙ୍କର ୫୧ଟି ଶତକ ରହିଛି । ସେହିପରି ୪୬୩ଟି ଦିନିକିଆ ଖେଳି ୪୪ଦଶମିକ୍ ଆଠ ତିନ୍ ହାରରେ ୧୮ହଜାର ୪୨୬ ରନ୍ କରିଛନ୍ତି । ଯେଉଁଥିରେ ୪୯ଟି ଶତକ ସାମିଲ ଅଛି । ଉଭୟ ଫର୍ମାଟକୁ ମିଶାଇ ଶହେ ଶତକ ପୂରଣ କରିବାରେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ରେକର୍ଡ କରିଛନ୍ତି ସଚିନ୍ । ୨୦୧୮ରେ ରାହୁଲ ଦ୍ରାବିଡ୍, ୨୦୧୫ରେ ଅନିଲ କୁମ୍ବଲେ, ୨୦୧୦ କପିଲ ଦେବ ଓ ୨୦୦୯ରେ ସୁନୀଲ ଗାଭାସଙ୍କରଙ୍କୁ ଆଇସିସି ପକ୍ଷରୁ ଏହି ସମ୍ମାନ ମିଳିଥିଲା ।