ପୁଣିଥରେ ବ୍ୟାଟ ଧରିଲେ ସଚିନ୍ ତେନ୍ଦୁଲକର ! ହେଲେ ଷ୍ଟାଡିୟମରେ ନୁହେଁ ଅଧରାତିରେ ମୁମ୍ବାଇର ଶ୍ରମିକ ମାନଙ୍କ ସହ ଗଳି କ୍ରିକେଟ ଖେଳିଲେ ମାଷ୍ଟର ବ୍ଲାଷ୍ଟର

45

ଭାଇରାଲ ହୋଇଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଭିଡିଓ । ଯେଉଁ ଭିଡିଓରେ ସଚିନ୍ ଗଳିରେ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିଛି । ଶ୍ରମିକମାନଙ୍କ ସହ ଏକାଠି ମିଶି ସଚିନ୍ ମଜ୍ଜିଯାଇଥିଲେ କ୍ରିକେଟ୍ ଖେଳରେ । ଆଉ ସଚିନ୍ଙ୍କୁ ଏତେ ପାଖରେ ଦେଖି, ଶ୍ରମିକମାନଙ୍କ ଖୁସି କହିଲେ ନସରେ ।

ନା ଅଛି ଷ୍ଟାଡ଼ିୟମ୍, ନା ଅଛନ୍ତି କ୍ରିକେଟ ଦୁନିଆର ନାମୀଦାମୀ ଖେଲାଳି । ଅଛି କେବଳ, ଛୋଟିଆ ଗଳିଟେ ଯେଉଁଠି ଶ୍ରମିକମାନଙ୍କ ସହ ଖେଳୁଛନ୍ତି କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର । ଯେଉଁମାନେ ହୁଏତ ବିଶ୍ୱ କ୍ରିକ୍ରେଟର ଏହି ମହାନ୍ ଖେଳାଳିଙ୍କୁ କେବଳ ଟିଭି ପରଦାରେ ଦେଖିଥିବେ, ସେମାନେ ଆଜି ସାଜିଛନ୍ତି ସଚିନ୍ଙ୍କ ସାଥୀ ଖେଳାଳୀ । ହାତରେ ନାମିଦାମୀ ବ୍ରାଣ୍ଡର ବ୍ୟାଟ୍ ଧରୁଥିବା, ସଚିନଙ୍କ ହାତରେ ଅଛି ଏକ ସାଧାରଣ ଓ ଶସ୍ତା ବ୍ୟାଟ୍ ।ଏଭଳି ଘଟଣା ମୁମ୍ବାଇ ବାନ୍ଦ୍ରା ଅଂଚଳର ମେଟ୍ରୋ ସାଇଟ୍ରେ ଦେଖିବାକୁ ମିଳିଛି । । ଯେଉଁଠି କିଛି ଶ୍ରମିକମାନେ ରାତିରେ ଏକାଠି କ୍ରିକେଟ୍ ଖେଳୁଥିବା ସମୟରେ ରାସ୍ତାରେ ଗାଡି ଅଟକେଇ ପହଂଚି ଯାଇଥିଲେ ସଚିନ୍ ।

ତେବେ ହଠାତ୍ କ୍ରିକେଟର ଭଗବାନଙ୍କୁ ଏତେ ପାଖରେ ଦେଖି, କିଛି ସମୟ ପାଇଁ ନିଜକୁ ବିଶ୍ୱାସ କରି ପାରିନଥିଲେ ଏହି ସାଧାରଣ ଲୋକମାନେ । ହେଲେ ସଚିନ୍ ନିଜ ଆଡୁ ସେମାନଙ୍କ ସହ ହାତ ମିଳେଇବା ସହ ଶ୍ରମିକମାନଙ୍କ ଗଳି କ୍ରିକେଟରେ ସାମିଲ କରିନେଇଥିଲେ ନିଜକୁ । ସେମାନଙ୍କୁ ବୋଲିଂ କରିବାକୁ କହି ନିଜେ ବ୍ୟାଟ ଧରିଥିଲେ ମାଷ୍ଟର ବ୍ଲାଷ୍ଟର । ବିଶ୍ୱ କ୍ରିକେଟର ଅନେକ ପ୍ରଖ୍ୟାତ ବୋଲରଙ୍କ ନିଦ ହଜାଇଥିବା ସଚିନ୍ ସାଜିଥିଲେ ଗଲି କ୍ରିକେଟର ବ୍ୟାଟସମ୍ୟାନ୍ ।

ସଚିନଙ୍କୁ ବୋଲିଂ କରୁଥିବା ଖେଳାଳିଙ୍କ ସହ ଫିଲ୍ଡିଂ ଓ ୱିକେଟ୍ କିପିଂ କରୁଥିବା ସମସ୍ତଙ୍କୁ ଲାଗୁଥିଲା ସ୍ୱପ୍ନ ଦେଖିବା ପରି । ତେବେ କିଛି ସମୟ ଧରି ସେମାନଙ୍କ ସହ କ୍ରିକେଟକୁ ଉପଭୋଗ କରିଥିଲେ ବିଶ୍ୱ କ୍ରିକେଟ୍ର ମହାନ୍ ତାରକା ସଚିନ ତେନ୍ଦୁଲକର । ଆଉ ସଚିନଙ୍କୁ ପାଖରେ ପାଇଥିବା ମୂହୁର୍ତକୁ ସ୍ମରଣୀୟ କରିବା ପାଇଁ ତାଙ୍କ ସହ ସେଲଫି ନେବାକୁ ଭୁଲି ନଥିଲେ ଏହି ଗଲି କ୍ରିକେଟର୍ ମାନେ । ହେଲେ ସବୁଠାରୁ ବଡ କଥା ହେଉଛି ଏହି ଭିଡିଓକୁ ସୋସିଆଲ ସାଇଟ୍ରେ ଅପଲୋଡ୍ କରିଥିଲେ ସଚିନଙ୍କ ପୂରୁଣା ଦିନର ଖେଳସାଥି ତଥା ପୂର୍ବତନ ଟିମ୍ ଇଣ୍ଡିଆ ଖେଳାଳି ବିନୋଦ କାମ୍ବଲି । ଏହା ସହ ଟ୍ୱିଟ୍ କରି କାମ୍ବଲି କହିଥିଲେ ମାଷ୍ଟର ବ୍ଲାଷ୍ଟର ପୂରୁଣା ଦିନକୁ ଉପଭୋଗ କରୁଥିବା ଦେଖି ଖୁସି ଲାଗୁଛି ।ସୋସିଆଲ୍ ସାଇଟ୍ରେ ସଚିନଙ୍କ ଏହି ଗଲି କ୍ରିକେଟ୍ ଭିଡିଓଟି ଭାଇରାଲ ହେବା ସହ ବେଶ୍ ଲାଇକ୍ ସାଉଁଟିଛି । ଭିଡିଓକୁ ଦେଖି, ସମସ୍ତଙ୍କ ମୁହଁରେ ଗୋଟିଏ କଥା ୱାହ୍ ସଚିନ୍ ।