ଆଜି ମୁକ୍ତିଲାଭ କରୁଛି ‘ସଚିନ: ଏ ବିଲିଅନ ଡ୍ରିମ୍ସ’ ! ଓଡିଶାରେ ସିନେମାକୁ କରାଯାଇଛି ଟିକସ ମୁକ୍ତ

27

ଆଜି ରିଲିଜ ହେଉଛି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଜୀବନି ଉପରେ ଆଧାରିତ ସିନେମା- ସଚିନ: ଏ ବିଲିଅନ ଡ୍ରିମ୍ସ । ତେବେ କେବଳ ଭାରତରେ ୨୪ଶହ ୫୦ ସିନେମା ହଲରେ ଦର୍ଶକ ଦେଖିବେ ଏହି ମହାନ କ୍ରିକେଟରଙ୍କ ଜୀବନ ସଂଘର୍ଷର କାହାଣୀ । ସିନେମାଟି ଏକକାଳୀନ ୫ଟି ଭାଷାରେ ମୁକ୍ତିଲାଭ କରୁଛି । ହିନ୍ଦୀ ସହ ଇଂରାଜୀ, ମରାଠି, ତାମିଲ ଓ ତେଲୁଗୁ ଭାଷାରେ ସିନେମାଟି ରିଲିଜ ହେଉଛି । ଓଡିଶା ସମେତ କେରଳ ଓ ଛତିଶଗଡରେ ସିନେମାକୁ ଟିକସ ମୁକ୍ତ କରାଯାଇଛି ।

ଟୁ ହଣ୍ଡ୍ରେଡ ନଟ୍ ଆଉଟ ବ୍ୟାନରରେ ସିନେମାର ପ୍ରଯୋଜନା କରିଛନ୍ତି ରବି ଭାଗଚନ୍ଦକା ଓ କାର୍ଣ୍ଣିଭାଲ ମୋସନ ପିକ୍ଚର୍ସ । ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ ଏର୍ସ୍କିନ । ସଂଗୀତ ଦେଇଛନ୍ତି ଓକ୍ସାର ବିଜେତା ଏ.ଆର. ରେହମାନ । ସଚିନଙ୍କ ଭଳି ଜଣେ ମହାନ କ୍ରିକେଟରଙ୍କ କାହାଣୀକୁ ପରଦାରେ ଦେଖିବା ଲାଗି ଫ୍ୟାନମାନେ ଅନାଇ ବସିଛନ୍ତି ବୋଲି କହିଛନ୍ତି ସିନେମାର ବିତରଣ ଦାୟିତ୍ୱ ନେଇଥିବା ଅନୀଲ ଥଦାନୀ ।

ପ୍ରଥମ ଦିନରେ ଏହା ୧୦ରୁ ୧୫ କୋଟି ଆୟ କରିବା ସହ ଭଲ ବ୍ୟବସାୟ କରିବ ବୋଲି ସେ ଆଶା ରଖିଛନ୍ତି । ବାୟୋପିକ ସିନେମା ଶ୍ରେଣୀରେ ଏହା ସବୁଠାରୁ ଭଲ କରିବ ବୋଲି ମଧ୍ୟ ସେ ଦୃଢୋକ୍ତ କରିଛନ୍ତି । ସଚିନଙ୍କ ସିନେମା ପାକିସ୍ତାନରେ ରିଲିଜ କରିବାକୁ ସେଠାକାର ସିନେମା ବିତରକ ଆଗ୍ରହୀ ବୋଲି ରିପୋର୍ଟ ପ୍ରକାଶ କରିଛି ପିଟିଆଇ ।

ସେଠାକାର ସେନସର ବୋର୍ଡ ଏହାକୁ ପାସ କଲେ ସେମାନେ ମଧ୍ୟ ସଚିନଙ୍କ ବାୟୋପିକକୁ ପାକିସ୍ତାନରେ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ତେବେ ଆଜି କିନ୍ତୁ ସିନେମାଟି ପାକିସ୍ତାନରେ ରିଲିଜ ହେଉନାହିଁ । ରିଲିଜ ପୂର୍ବରୁ ମୁମ୍ବାଇରେ ଆୟୋଜିତ ହୋଇଛି ବାୟୋପିକ- ‘ସଚିନ ଏ ବିଲିୟନ ଡ୍ରିମ୍ସ’ର ସ୍ପେଶାଲ ସ୍କ୍ରିନିଂ । ସ୍କ୍ର୍ରିନିଂରେ ବଲିଉଡ ବାଦଶାହା ଅମିତାଭ ବଚ୍ଚନଙ୍କଠୁ ଆରମ୍ଭ କରି ଏକାଧିକ ଷ୍ଟାରସ ଯୋଗ ଦେଇଥିଲେ ।