ପ୍ରବଳ ବିରୋଧ ଯୋଗୁଁ କେରଳର ସାବରିମାଳା ମନ୍ଦିରରେ ଦର୍ଶନ କରିପାରିଲେନି ମହିଳା : କଡା ସୁରକ୍ଷା ସହ ମନ୍ଦିରକୁ ନେଇଥିଲା ପୋଲିସ

29

କନକ ବ୍ୟୁରୋ : କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରର ଦ୍ୱାରା ଖୋଲିବାକୁ ଆଜକୁ ୩ଦିନ ହେଲାଣି । ହେଲେ ମନ୍ଦିର ଭିତରକୁ ଏପର୍ଯ୍ୟନ୍ତ ଯାଇପାରୁନାହାନ୍ତି ମହିଳାମାନେ । ଗତ ୩ଦିନ ହେବ ହିନ୍ଦୁ ସଙ୍ଗଠନ ପକ୍ଷରୁ ମନ୍ଦିର ଭିତରକୁ ମହିଳାଙ୍କୁ ପ୍ରବେଶ କରାଇ ଦେଉନାହାନ୍ତି । ଯାହାକୁ ନେଇ ମନ୍ଦିର ସମେତ ତାର ଆଖପାଖ ଅଂଚଳରେ ଉତ୍ତେଜନା ଲାଗିରହିଛି । ଆଜି ସକାଳୁ ମନ୍ଦିର ବାହାରେ ଉତ୍ତେଜନା ଦେଖିବାକୁ ମିଳିଛି । ଭିଡ ଭିତରେ ପୁଲିସ ଦୁଇ ମହିଳାଙ୍କୁ ହେଲମେଟ ପିନ୍ଧାଇ ମନ୍ଦିର ଭିତରକୁ ନେଇଥିଲା । କିନ୍ତୁ ସେଥିରେ ପୁଲିସ ବିଫଳ ହୋଇଛି ।

ଆନ୍ଦୋଳନକାରୀମାନେ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଇନଥିଲେ । ବିକ୍ଷୋଭ ଓ ପ୍ରତିବାଦ କରିବା ଯୋଗୁଁ ଦୁଇ ମହିଳା ଫେରିଆସିଥିଲେ । ଦୁଇ ମହିଳାଙ୍କ ମଧ୍ୟରେ ଜଣେ ସାମ୍ବାଦିକା ରହିଥିବାବେଳେ ଆଉ ଜଣେ ସାମାଜିକ କର୍ମୀ ଥିଲେ । ତେବେ ଗତ ୩ଦିନ ହେବ ସେହି ଅଂଚଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ମଧ୍ୟ କିଛି ପ୍ରତିବାଦକାରୀଙ୍କୁ ପୁଲିସ ହେପାଜତକୁ ନେଇଛି । ସାବରିମାଳା ମନ୍ଦିର ଭିତରକୁ ମହିଳା ପ୍ରବେଶ କରିବା ନେଇ ସୁପ୍ରିମକୋର୍ଟ ଅନୁମତି ଦେଇସାରିଛନ୍ତି । କିନ୍ତୁ କିଛି ସଙ୍ଗଠନ ଏହାକୁ ବିରୋଧ କରୁଛନ୍ତି ।

ଶ୍ରଦ୍ଧାଳୁଙ୍କ ଯୁକ୍ତି ଏହା ଯେ, ମହିଳାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଗଲେ ଭଗବାନଙ୍କ ବ୍ରହ୍ମଚର୍ଯ୍ୟ ଭଙ୍ଗ ହେବ । ଏହା କାରଣ ଯେ, ସେ ୧୦ ବର୍ଷ ବୟସରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କ ମନ୍ଦିର ପ୍ରବେଶକୁ ବିରୋଧ କରୁଛନ୍ତି ।