ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ପରେ ଦ୍ୱାରା ବନ୍ଦ ! ଆରମ୍ଭ ହେଲା ଶୁଦ୍ଧିକରଣ ପ୍ରକ୍ରିୟା

132

କନକ ବ୍ୟୁରୋ : କେରଳ ସାବରିମାଳାରେ ପ୍ରବେଶ କଲେ ମହିଳା ଶ୍ରଦ୍ଧାଳୁ । ବହୁ ବିରୋଧ ସତ୍ୱେ ଦୁଇ ଜଣ ୪୦ ବର୍ଷିୟ ମହିଳା ମନ୍ଦିର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ଏହା ଦ୍ୱାରା ସାବରିମାଳା ମନ୍ଦିରରେ ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପୁରୁଣା ପରମ୍ପରାର ଅନ୍ତ ଘଟିଛି । କୁହାଯାଉଛି ବିନ୍ଦୁ ଓ କନକଦୁର୍ଗା ନାମକ ଦୁଇଜଣ ୫୦ରୁ କମ ବୟସର ମହିଳା ଅଧ ରାତିରେ ମନ୍ଦିରର ସିଡି ଚଢ଼ିବା ଆରମ୍ଭ କରିଥିଲେ । ଏବଂ ପ୍ରାୟ ୩ଟା ୪୫ରେ ଭଗବାନ ଅୟପ୍ପାଙ୍କ ଦର୍ଶନ କରିଛନ୍ତି । ଦୁଇ ମହିଳାଙ୍କ ସହ ସାଧା ପୋଷାକ ଓ ୟୁନିଫର୍ମରେ କେତେକ ପୋଲିସ କର୍ମଚାରୀ ଥିଲେ ।

ତେବେ ମହିଳା ପ୍ରବେଶ କରିବା ପରେ ସାବରିମାଲା ମନ୍ଦିରକୁ ବନ୍ଦ କରାଯାଇଛି ଏବଂ ଶୁଦ୍ଧିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଋତୁମତୀ ବୟସ ଚାଲୁଥିବା ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଶହ ଶହ ବର୍ଷ ଧରି ଚାଲିଆସିଥିବା ନିଷିଦ୍ଧାଦେଶକୁ ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମ୍ କୋର୍ଟ ଭାଙ୍ଗିବା ପରେ ପ୍ରଥମ କରି ଏ ପରି ଘଟନା ଘଟିଛି ।

ଘଟନା ସତ୍ୟ ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଛନ୍ତି । ସେ କହିଛନ୍ତି:ମନ୍ଦିର ମଧ୍ୟକୁ ଯିବାକୁ ଚାହୁଁଥିବା ଯେ କୌଣସି ମହିଳାଙ୍କୁ ସବୁ ପ୍ରକାରର ସମ୍ଭାବ୍ୟ ପୁଲିସ ସହାୟତା ଯୋଗାଇ ଦେବାକୁ ଆମେ ଆଦେଶ ନାମା ଜାରି କରିଛୁ । ଗୋଟିଏ ଭିଡିଓରେ ଦେଖାଯାଉଛି କଳାପୋଷାକ ପରିହିତା ଦୁଇ ମହିଳା ଦ୍ରୁତ ବେଗରେ ପୀଠ ଆଡ଼କୁ ମୁହାଁଇଛନ୍ତି । ମନ୍ତ୍ର ଓ ପ୍ରାର୍ଥନା ବୋଲାଯାଉଥିବା ଶବ୍ଦ ମନ୍ଦିର ପରିସରରୁ ଶୁଭୁଛି ।