ସାମ୍ ପିଟ୍ରୋଡାଙ୍କୁ ମିଳିଲା ଦଳୀୟ ନିଯୁକ୍ତି ! କଂଗ୍ରେସର ଓଭରସିଜ୍ ଡିପାର୍ଟମେଂଟର ମୁଖ୍ୟ ହେଲେ ସାମ୍

42

କନକ ବ୍ୟୁରୋ: ସାମ୍ ପିଟ୍ରୋଡାକୁ ନେଇ ଅଡୁଆରେ ରାଜ୍ୟ ସରକାର । ଦିଲ୍ଲୀରେ କଂଗ୍ରେସ୍ ପକ୍ଷରୁ ସାମ୍ ପିଟ୍ରୋଡାଙ୍କୁ ମିଳିଛି ଦଳୀୟ ନିଯୁକ୍ତି । ଅଲ ଇଣ୍ଡିଆ କଂଗ୍ରେସ୍ କମିଟି ପକ୍ଷରୁ ନୂଆ କରି ଗଠନ ହୋଇଥିବା ଓଭରସିଜ୍ କଂଗ୍ରେସ୍ ଡିପାର୍ଟମେଂଟରେ ସାମ୍ ପିଟ୍ରୋଡାଙ୍କୁ କରାଯାଇଛି ଅଧ୍ୟକ୍ଷ । ଗୁରୁବାର ଦିନ କଂଗ୍ରେସ୍ ସଭାପତି ସୋନିଆ ଗାନ୍ଧିଙ୍କ ଅନୁମୋଦନ ପରେ ଦିଲ୍ଲୀରେ ଏ ନେଇ ଘୋଷଣା କରାଯାଇଛି । ଏହା ପରେ ଅଡୁଆରେ ପଡିଯାଇଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ ପିଟ୍ରୋଡାଙ୍କୁ ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ତାଙ୍କୁ କ୍ୟାବିନେଟ ପାହ୍ୟା ବି ମିଳିଛି । ପ୍ରଥମ ଥର ଲାଗି କଂଗ୍ରେସ୍ ସଙ୍ଗଠନରେ ପିଟ୍ରୋଡାଙ୍କୁ ସ୍ଥାନ ମିଳିଛି । ପୂର୍ବରୁ ପିଟ୍ରୋଡାଙ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିଲା । ବିଜେପି ଅଭିଯୋଗ କରିଥିଲା କି, ପିଟ୍ରୋଡା ଗାନ୍ଧି ପରିବାରର ଘନିଷ୍ଠ ହୋଇଥିବାରୁ ତାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ ଦିଆଯାଇଛି । ସେ ଗାନ୍ଧି ପରିବାର ଓ ନବୀନଙ୍କ ମଧ୍ୟରେ ଯୋଗସୁତ୍ର ରକ୍ଷା କରୁଛନ୍ତି ।

ତେବେ ଏହାର ଜବାବରେ ବିଜେଡି କହିଥିଲା କି, ପିଟ୍ରୋଡାଙ୍କ ଭଳି ଜଣେ ବିଜ୍ଞ ବ୍ୟକ୍ତି ରାଜନୀତିର ଖୁବ୍ ଉର୍ଦ୍ଧରେ । ଏବେ ସାମ ପିଟ୍ରୋଡାଙ୍କୁ କଂଗ୍ରେସରେ ଦଳୀୟ ନିଯୁକ୍ତି ମିଳିବା ପରେ ଅଡୁଆରେ ପଡିଯାଇଛନ୍ତି ରାଜ୍ୟ ସରକାର । ନୂଆ ନିଯୁକ୍ତି ପରେ ରାଜ୍ୟ ସରକାରଙ୍କ କି ଆଭିମୁଖ୍ୟ ରହିବ ସେ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।